ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କରିଛନ୍ତି। ପୂର୍ବରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ସରକାର। ଘଟଣା ଉପରେ ପୁରା ନଜର ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁଗର୍ଗ । ସୂଚନାନୁଯାୟୀ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡ୍ ର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବଢ଼ୁଥିବାବେଳେ ଶୋକାକୁଳ ହୋଇପଡ଼ିଛି ସମଗ୍ର ଅଞ୍ଚଳ। ମୃତକଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଥିବା ବେଳେ, ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ, ଏବେ ବି ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ, ସମସ୍ତଙ୍କ ନଜର ରହିଛି ସେମାନଙ୍କ ସୁସ୍ଥତା ଉପରେ। ଅନ୍ୟପକ୍ଷରେ ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଭୁବନେଶ୍ବର ଆସି ପହଞ୍ଚିଛି ୫ ମୃତଦେହ । କେନ୍ଦୁଝର ଜିଲ୍ଲାର ୫ ଜୁଆଙ୍ଗ ଜନଜାତି ଯୁବତୀଙ୍କ ମୃତଦେହ ଧରି ପହଞ୍ଚିଛନ୍ତି ଓଡ଼ିଶା ଅଧିକାରୀ । ମୃତକଙ୍କ ମଧ୍ୟରୁ ୩ ଜଣ ତେଲକୋଇ ବ୍ଲକର ହୋଇଥିବା ବେଳେ ଆଉ ୨ ଜଣ ବାଂଶପାଳ ବ୍ଲକର l ଆଉ ୪ ଜଣ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି l ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ଏକ ତିନି ଜଣିଆ ଟିମ ପହଞ୍ଚି ତାମିଲନାଡୁ ସରକାରଙ୍କ ସହ ଯୋଗାଯୋଗରେ ରହି ଗୁରୁତର ଥିବା ଯୁବତୀଙ୍କ ଚିକିତ୍ସା ସମ୍ପର୍କରେ ଧ୍ୟାନ ରଖିଛନ୍ତି । ତେବେ ଗୁରୁତର ଥିବା ଅନ୍ୟ ୫ ଜଣ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି l ଗତ ରବିବାର ଦିନ ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ ସି’ ଫୁଡ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲେ । ଏହି ଦୁର୍ଘଟଣା ପରେ ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନ ଉଠିଛି ।
–
