ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ପୁଣି ଡରାଇଲାଣି ଅକ୍ଟୋବର! ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା। ଆନ୍ଧ୍ର-ଓଡ଼ିଶା ଉପକୂଳମୁହାଁ ହେଉଛି ଘୂର୍ଣ୍ଣିବଳୟ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିବାରେ ଲାଗିଛି। ଅକ୍ଟୋବର ମାସ ଆରମ୍ଭରୁ ପୁଣିଥରେ ବଙ୍ଗୋପସାଗରରେ ପ୍ରକୃତିର ରୂପ ବଦଳିବାରେ ଲାଗିଛି। ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁ ଆରମ୍ଭ ହୋଇସାରିଥିବା ବେଳେ ପାଣିପାଗ ବିଭାଗର ଏହି ଆକଳନ ଚିନ୍ତା ବଢ଼ାଇ ଦେଇଛି। ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧୩ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ଅକ୍ଟୋବର ୧୫ ତାରିଖ ବେଳକୁ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ଆକଳନ କରାଯାଇଛି। ଏସବୁ ଭିତରେ, ଅକ୍ଟୋବର ପ୍ରଥମ ସପ୍ତାହ ଶେଷ କିମ୍ବା ଦ୍ବିତୀୟ ସପ୍ତାହ ଆରମ୍ଭ ସୁଦ୍ଧା ଓଡ଼ିଶା ସମେତ ପ୍ରାୟ ଅର୍ଦ୍ଧାଧିକ ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇସାରିଥିବ। ମୌସୁମୀ ବିଦାୟ ପରେ ବାତ୍ୟା ଋତୁର ପ୍ରାରମ୍ଭ ଏବଂ ବଙ୍ଗୋପସାଗରରେ ବାତାବରଣକୁ ଦୃଷ୍ଟିରେ ରଖି ବାତ୍ୟା ହେବାର ସମ୍ଭାବନା ଅଧିକ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।