ମାଲକାନଗିରି, (ସତ୍ୟପାଠବ୍ୟୁରୋ): କ୍ଲାସ୍‌ରୁମ୍‌ରେ ପାଠପଢ଼ା ଚାଲିଥିବାବେଳେ ଅଘଟଣ ଘଟିଛି। ହଠାତ୍ ଛାତରୁ କଂକ୍ରିଟ୍‌ ଅଂଶ ଖସି ପଡ଼ିବାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ େହାଇଛନ୍ତି। ଏଭଳି ଅଘଟଣ ଚିତ୍ରକୋଣ୍ଡା ପିଏମ୍‌ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି। ଏହି ଘଟଣା ପରେ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଶୁକ୍ରବାର ବିଦ୍ୟାଳୟରେ ନିୟମିତ ଭାବେ ପାଠପଢ଼ା ଚାଲିଥିଲା। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍‌ରୁମ୍‌ରେ ବସି ପାଠ ପଢ଼ୁଥିବା ସମୟରେ ହଠାତ୍ ଛାତରୁ ଏକ କଂକ୍ରିଟ୍‌ର ଅଂଶ ଖସିପଡ଼ିଥିଲା। ଫଳରେ ଛାତ୍ରଙ୍କ ମୁଣ୍ଡରେ ପଡ଼ିବାରୁ ସେ ଆହତ ହୋଇଥିଲେ। ଘଟଣା ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସ୍ଥ଄ର ରହିଛି। ତେବେ ବିଦ୍ୟାଳୟେର ସୁରକ୍ଷା ବ୍ୟବସ୍ଥା ଓ ଛାତର ଅବସ୍ଥା ତୁରନ୍ତ ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି।