ଅବସର ନେବାର ୨ମାସ ପୂର୍ବରୁ ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ବଡ଼ ଅଧିକାରୀ, କଟକରେ ପୁଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପିଙ୍କ ଘରେ ରେଡ

ଭିଜିଲାନ୍ସ ପଞ୍ଝାରେ ପୁଣି ଆଉ ଜଣେ ସରକାରୀ ଅଧିକାରୀ | ଆୟବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଚଢ଼ାଉ ହୋଇଛି | କଟକରେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢାଉ ହୋଇଛି | ଭୁବନେଶ୍ୱର ମନୋରମା ଇଷ୍ଟେଟ୍ରେ ଥିବା ଫ୍ଲାଟ, ନବରଙ୍ଗପୁର ଡାବୁଗାଁରେ ଥିବା ଘର, ଯାଜପୁର ବଡଚଣାରେ ଥିବା ଶ୍ୱଶୂର ଘର, ଯାଜପୁର ତେଲିଗଡ଼ରେ ଥିବା ଶାନ୍ତିଲତା ଫାର୍ମ ହାଉସରେ ରେଡ୍ କରାଯାଉଛି । ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂ ହୋମ୍ ଏବଂ ଔଷଧ ଦୋନାକରେ ଚଢାଉ କରୁଛି ଭିଜିଲାନ୍ସ । ଏହା ସହ ନର୍ସିଂ ହୋମ୍ ନିକଟରେ ଥିବା ଶାନ୍ତିଲତା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରାଯାଉଛି ।

ଜଗତସିଂହପୁରରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । କଟକ ମହାନଦୀ ବିହାରରେ ତ୍ରିନାଥ ମିଶ୍ରଙ୍କ ଦୁଇ ପୁଅ ତୁଷାର ମିଶ୍ର ଓ ତରୁଣ ମିଶ୍ରଙ୍କ ନାଁରେ ଏକ ଔଷଧ ଉତ୍ପାଦନ ୟୁନିଟ୍ ରହିଛି । ସେଠାରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଏହା ସହ କଟକ ତୁଳସୀପୁରରେ ଥିବା ସିଗ୍ନାଲ ଏସ୍ପି ଅଫିସ୍ ଓ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରୁଛି । ଚଢାଉରେ ୩ ଜଣ ଆଡିସିନାଲ ଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ତ୍ରିନାଥ ମିଶ୍ର କମିଶନରେଟ୍ ପୋଲିସରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡିସିନାଲ ଡିସିପି ଭାବେ କାର୍ଯ୍ୟ କରିଛନ୍ତି |

ଆଉ ଦୁଇ ମାସ ପରେ ଅବସର ନେଇଥାନ୍ତେ ତ୍ରିନାଥ ମିଶ୍ର । ହେଲେ ତା’ ପୂର୍ବରୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ । ଏବେ ସକାଳୁ ସକାଳୁ ରେଡ ଆରମ୍ଭ ହୋଇଥିବାରୁ ସମୁଦାୟ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ |

Related Posts