ପଂଚାୟତ ନିର୍ବାଚନ: ଆସନ୍ତାକାଲିଠୁ ଆରମ୍ଭ ମତଦାନ

ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଁଚିଛି | ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ | ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ | ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ, ଏବଂ ୱାର୍ଡ ମେମ୍ବର ଚୟନ କରିବେ ମତଦାତା । ହେଲେ ଏମାନଙ୍କ ବିଜୟକୁ ଆଧାର କରି ସ୍ଥାନୀୟ ଅଂଚଳର ବଡ ନେତାଙ୍କ ପତିଆରାର ହେବ ମୂଲ୍ୟାୟନ । ବୁଧବାର ସକାଳ ୭ଟାରୁ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡିବ । ୧ ହଜାର ୬୬୯ ପଂଚାୟତରେ ଚୟନ ହେବେ ସରପଂଚ ଓ ସମିତି ସଭ୍ୟ । ସେହିପରି ୨୨ହଜାର ୩୭୯ ୱାର୍ଡ ମେମ୍ବରଙ୍କୁ ବାଛିବେ ଭୋଟର ।

ସେଥିପାଇଁ ସବୁ କଳ, କୌଶଳ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ନେତା । ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ ପାଇଁ ସୋମବାର ଶେଷ ହୋଇଛି ପ୍ରଚାର । ସେପଟେ ଶାସକ ଦଳ ରାଜ୍ୟ ସରକାରଙ୍କ ବିକାଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ମାଧ୍ୟମ କରି ଗାଁ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ କରିଛନ୍ତି ବିଜେଡି ନେତା, ମନ୍ତ୍ରୀ । ହେଲେ ଗତଥର ଭଳି ଏଥର ମଧ୍ୟ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇ ନାହାନ୍ତି ବିଜେଡି ସୁପ୍ରିମୋ । ତଥାପି ଦଳୀୟ ପ୍ରାର୍ଥୀ କିମ୍ବା ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ରଣନୀତି ପ୍ରସ୍ତୁତି ଓ ପ୍ରଚାରରେ ହେଳା କରିନାହାନ୍ତି ସ୍ଥାନୀୟ ବିଧାୟକ ଓ ନେତା ।

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେ ଅପେକ୍ଷା ବିଜେଡି ଭଲ ସ୍ଥିତିରେ ଥିବା ପରି ଦେଖାଯାଉଛି । ବିଜେଡିକୁ ବିରୋଧୀଙ୍କ ପଟୁ ଯେତିକି ଭୟ ନାହିଁ, ନିଜ ଦଳରୁ କଂଟା ସାଜିଥିବା ବିଦ୍ରୋହୀଙ୍କ ପଟୁ ସେତିକି ଅଡୁଆ ରହିଛି । ସେପଟେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପ୍ରଚାର ଠାରୁ ଦୂରେଇ ରହିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏଯାଏଁ ପ୍ରଚାରକୁ ଓହ୍ଲାଇ ନାହାନ୍ତି ।

ଗତକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିଲେଣି ପୋଲିଂ ପାର୍ଟି ।

ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଚାୟତ ନିର୍ବାଚନ ପାଇଁ ଦିନେ ଛାଡି ଦିନେ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏହାପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣତି କରାଯିବ |

Related Posts