ସାଉଦି ଆରବ (ସତ୍ୟପାଠବ୍ୟୁରୋ): ଅବସର ସଙ୍କେତ ଦେଲେ କିମ୍ବଦନ୍ତୀ ପୁଟବଲର୍ ରୋନାଲ୍ଡୋ। ଫୁଟବଲ୍ ଜଗତର ମହାନ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ ଖେଳାଳି ଜୀବନକୁ ଅଲବିଦା କହିବା ନେଇ ବଡ଼ ସଙ୍କେତ ଦେଇଛନ୍ତି । ୪୧ ବର୍ଷ ବୟସରେ ପାଦ ଥାପିଥିବା ଏହି କିମ୍ବଦନ୍ତୀ ଷ୍ଟ୍ରାଇକର ସ୍ପଷ୍ଟ କରିଛନ୍ତି ଯେ ୨୦୨୬-୨୭ ଋତୁ ତାଙ୍କ ପେସାଦାର କ୍ୟାରିୟରର ଶେଷ ଋତୁ ହୋଇପାରେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଶ୍ୱ ଫୁଟବଲ୍ରେ ନିଜର ଏକଛତ୍ର ପ୍ରଭାବ ବିସ୍ତାର କରିଥିବା ରୋନାଲ୍ଡୋଙ୍କ ଏହି ବୟାନ ତାଙ୍କର ଏକ ଐତିହାସିକ ଯୁଗର ଅନ୍ତ ଆଡ଼କୁ ଇଙ୍ଗିତ କରୁଛି ।
ଏକ ପତ୍ରିକାକୁ ଦେଇଥିବା ବିସ୍ତୃତ ସାକ୍ଷାତକାରରେ ରୋନାଲ୍ଡୋ କହିଛନ୍ତି ଯେ ସେ ଫୁଟବଲ୍ ଜଗତ ପାଇଁ ଏକ ଚମତ୍କାର ଐତିହ୍ୟ ଓ ପରମ୍ପରା ଛାଡ଼ି ଯିବାକୁ ଚାହାନ୍ତି ଏବଂ ଏହା ହିଁ ତାଙ୍କ କ୍ୟାରିୟରର ସମ୍ଭାବ୍ୟ ଶେଷ ବର୍ଷ । ଏଥିସହ ଅବସର ପରବର୍ତ୍ତୀ ଯୋଜନା ବିଷୟରେ ପ୍ରକାଶ କରି ସେ କହିଛନ୍ତି ଯେ ଖେଳ ପଡ଼ିଆରୁ ବିଦାୟ ନେବା ପରେ ସେ ପରିବାର ସହିତ ଅଧିକରୁ ଅଧିକ ସମୟ ବିତାଇବେ, ବିଭିନ୍ନ ଦେଶ ଭ୍ରମଣ କରିବେ ଏବଂ ‘ପାଡେଲ୍’ ଖେଳର ଆନନ୍ଦ ଉପଭୋଗ କରିବେ । ବର୍ତ୍ତମାନ ସାଉଦି ଆରବର ଅଗ୍ରଣୀ କ୍ଲବ୍ ଅଲ୍-ନାସର ପାଇଁ ଖେଳୁଥିବା ରୋନାଲ୍ଡୋଙ୍କ କଣ୍ଟ୍ରାକ୍ଟ ୨୦୨୭ ଜୁନ୍ ମାସ ପର୍ଯ୍ୟନ୍ତ ବଳବତ୍ତର ରହିଛି ।
ସୂଚନାଯୋଗ୍ୟ, ୨୦୨୬ ଫିଫା ବିଶ୍ୱକପ୍ ତାଙ୍କ ଜୀବନର ଶେଷ ବିଶ୍ୱକପ୍ ବୋଲି ରୋନାଲ୍ଡୋ ପୂର୍ବରୁ ହିଁ ଘୋଷଣା କରିସାରିଥିଲେ । ଏହି ବିଶ୍ୱକପ୍ରେ ସେ ପର୍ତ୍ତୁଗାଲ୍ ପାଇଁ ୩ଟି ଗୋଲ୍ ସ୍କୋର କରିଥିବା ବେଳେ ‘ରାଉଣ୍ଡ ଅଫ୍ ୧୬’ ମୁକାବିଲାରେ ସ୍ପେନ୍ ନିକଟରୁ ପରାଜିତ ହୋଇ ପର୍ତ୍ତୁଗାଲ୍ ବିଶ୍ୱକପ୍ରୁ ବିଦାୟ ନେଇଥିଲା । ଏହା ସହ ତାଙ୍କର ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ରହିଯାଇଥିଲା ।
