ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବଡ଼ ଘୋଷଣା। ୨୦୨୯ ସାଧାରଣ ନିର୍ବାଚନରେ ସେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି। ତାଙ୍କର ଏହି ବୟାନ ପରେ ରାଉରକେଲା ରାଜନୀତିରେ ଆଗାମୀ ନେତୃତ୍ୱକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ସାରଦା ପ୍ରସାଦ ନାୟକ ହେଉଛନ୍ତି ବିଜୁ ଜନତା ଦଳର ଜଣେ ଅଭିଜ୍ଞ ରାଜନେତା। ରାଉରକେଲା ରାଜନୀତିରେ ଦୀର୍ଘଦିନ ଧରି ତାଙ୍କର ପ୍ରଭାବ ରହିଆସିଛି। ସେ ରାଉରକେଲାର ୟୁନିଭର୍ସାଲ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ (UGIE)ରୁ ୧୯୮୦ ମସିହାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛନ୍ତି। ସେବେଠୁ ଆରମ୍ଭ ହୋଇଥିଲା ତାଙ୍କର ଛାତ୍ର ରାଜନୀତି ।
ଆଗରୁ କଂଗ୍ରେସରେ ଥିବା ସାରଦାଙ୍କ ରାଜନୈତିକ ଯାତ୍ରାରେ ୨୦୦୪ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ସେହି ନିର୍ବାଚନରେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ରାଉରକେଲା ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ। ଏହାପରେ ୨୦୦୯ରେ ମଧ୍ୟ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ।
୨୦୧୪ ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ୨୦୧୯ରେ ପୁଣି ଥରେ ରାଉରକେଲା ଆସନ ଦଖଲ କରି ନିଜର ରାଜନୈତିକ ପତିଆରା ଜାହିର କରିଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ବିଜୟୀ ହୋଇ ଲଗାତାର ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।
ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୨୦୨୩ ମେ’ ମାସରେ ପୁଣି ଥରେ ସ୍ଥାନ ପାଇଥିଲେ ସାରଦା। ତାଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଦାୟିତ୍ୱ ମିଳିଥିଲା। ୨୦୨୪ ଜୁନ୍ରେ ସରକାର ପରିବର୍ତ୍ତନ ପରେ ତାଙ୍କର ମନ୍ତ୍ରୀ ପଦର ଅବଧି ଶେଷ ହୋଇଥିଲା।
୨୦୨୯ ପୂର୍ବରୁ କାହିଁକି ନେଲେ ଏଭଳି ନିଷ୍ପତ୍ତି?
ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟର ରାଜନୈତିକ ଅଭିଜ୍ଞତା ପରେ ଏବେ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି ସାରଦା। ଗୁରୁବାର ରାଉରକେଲାରେ ଆୟୋଜିତ ମଦ ବିରୋଧୀ ଆନ୍ଦୋଳନରେ ଯୋଗଦେବା ଅବସରରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ୨୦୨୯ରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ କହିଛନ୍ତି। ତେବେ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିବାକୁ ଦୁରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ ବି ସୁନ୍ଦରଗଡ଼ର ସବୁ ବିଧାୟକ ବିଜେଡି କିଭଳି ଜିତିବ ସେନେଇ ଗୁଣ୍ଡୁଚି ମୂଷା ଭଳି ଲାଗିବେ ବୋଲି କହିଛନ୍ତି। ତାଙ୍କ ପରେ ରାଉରକେଲାକୁ ନୂଆ ଯୁବ ନେତୃତ୍ୱ ମିଳୁ ବୋଲି କହିଛନ୍ତି ସାରଦା |
ସାରଦାଙ୍କ ଏହି ଘୋଷଣା ପରେ ରାଉରକେଲାରେ ବିଜେଡିର ଆଗାମୀ ନେତୃତ୍ୱ କିଏ ନେବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
