ଆଗକୁ ରହିବନି ଆଉ ଲୋ ଭୋଲଟେଜ୍ ସମସ୍ୟା: ନିର୍ମାଣ ହେବ ୪ଟି ଗ୍ରୀଡ ଖର୍ଚ୍ଚ ହେବ ପାଖାପାଖି ୨ହଜାର କୋଟି

ସତ୍ୟପାଠ 26/12 ଭୁବନେଶ୍ୱର : ଆଗକୁ ରହିବନି ଲୋ ଭୋଲଟେଜ୍ ସମସ୍ୟା | ଏହି ସମସ୍ୟା ଦୂର କରିବାକୁ ପ୍ରାୟ ୨ ହଜାର କୋଟି ଖର୍ଚ୍ଚ କରିବେ ସରକାର । ତେବେ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି ସତ,ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଲାଣି ପ୍ରଶ୍ନ । କାହିଁକି ନା ଏହି ସବୁ କାମ Odisha Power Transmission Corporation Limited (ଓପିଟିସିଏଲ୍ ) ମାଧ୍ୟମରେ କରିବ ଶକ୍ତି ବିଭାଗ । ଆଗରୁ ଏହି ସବୁ ଦିଗରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କିଛି ବି ସୁଫଳ ମିଳିପାରି ନାହିଁ । ସିଏଜି ରିପୋର୍ଟ ଅନୁସାରେ ଦେଖିଲେ, ୩ ବର୍ଷରେ ୮୧ ପ୍ରତିଶତ ଖର୍ଚ୍ଚରେ କାମ ହୋଇଥିଲା ମାତ୍ର ୩୬ ପ୍ରତିଶତ । ଯେତିକି ବି କାମ ହୋଇଛି, କେଉଁଠି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନି ତ କେଉଁଠି ଅତି ନିମ୍ନ ମାନର ହୋଇଛି । ତେଣୁ ପୁଣି ଥରେ ଖର୍ଚ୍ଚ ପୂର୍ବରୁ ଏସବୁର ତଦନ୍ତ ହେଉ ବୋଲି ଦାବି ଜୋର ଧରିଛି । ବିଜୁଳି ଭିତ୍ତିଭୂମି ସଜାଡିବା ଆଉ ଲୋ-ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଚିନ୍ତା ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଉପରେ ଦୁଇ ଦିନ ପୂର୍ବରୁ ଲାଗିଛି କ୍ୟାବିନେଟ୍ ମୋହର । ନିର୍ମାଣ ହେବ ୪ଟି ଗ୍ରୀଡ । ସବ୍-ଷ୍ଟେସନ ସହ କେନ୍ଦୁଝରରେ ଗୋଟିଏ ୧୩୨ କେଭି ଲାଇନ୍ ଏହା ବାଦ୍ ୯୯ଟି ୩୩ କେଭି ସବଷ୍ଟେସନ୍ ଓ କେଭି ଲାଇନ୍ ବାବଦକୁ ଖର୍ଚ୍ଚ ହେବ ୧୭୯୬ କୋଟି ଟଙ୍କା । ଓପିଟିସିଏଲ୍ ମାଧ୍ୟମରେ ଖର୍ଚ୍ଚ ହେବ ଏହି ଟଙ୍କା । ହେଲେ ଯୋଜନାର କାର୍ଯ୍ୟକାରିତା ନେଇ ଏବେଠାରୁ ପ୍ରଶ୍ନ ଉଠିଲାଣି । କାରଣ ପୂର୍ବରୁ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଷ୍ଟ୍ରେଦନିଙ୍ଗ ପ୍ରକଳ୍ପରେ ଗ୍ରାଣ୍ଟ ମାଧ୍ୟମରେ ୨୦୧୭-୧୮ ମସିହାରେ ୩ ହଜାର ୮୪୩ କୋଟି ମଞ୍ଜୁର କରିଥିଲା ବିଭାଗ । ନିର୍ମାଣ ହୋଇଥାନ୍ତା ୪୭୩ଟି ୩୩ କେଭି ସବଷ୍ଟେସନ୍ ।

ସିଏଜି ତଥ୍ୟ ଆଧାରରେ ଦେଖିଲେ ,୧୭-୧୮ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୮୧ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ କାମ ହୋଇଛି ମାତ୍ର ୩୬ ପ୍ରତିଶତ । ନିର୍ମାଣ ସରିଛି ମାତ୍ର ୪୭୩ରୁ ୧୭୦ଟି ୩୩ କେଭି ସବଷ୍ଟେସନ୍ । ସବୁଠାରୁ ବଡ଼ କଥା ହେଉଛି ସବଷ୍ଟେସନ୍ ଗୁଡ଼ିକ ମଧ୍ୟରୁ ଅନେକ ଏବେ ବି କାର୍ଯ୍ୟକ୍ଷମ ହୋଇନାହିଁ କି ଡସ୍କମ୍ ଗୁଡିକୁ ହସ୍ତାନ୍ତର କରାଯାଇନାହିଁ । ଅନେକ ସ୍ଥାନରେ କାମ ନିମ୍ନମାନର ହୋଇଥିବାରୁ ବିଦ୍ୟୁତ ବିତରଣ ଓ ସରବରାହ ଜନିତ କ୍ଷତି କମିବା ବଦଳରେ ବଢ଼ିଛି । ତେଣୁ ଏବେ ପୁଣି ଥରେ ଖର୍ଚ୍ଚ ପୂର୍ବରୁ ପ୍ରଥମେ ଏହାର ସମୀକ୍ଷା ଓ ତଦନ୍ତ ପାଇଁ ଦାବି କରିଛି ଉପଭୋକ୍ତା ମହାସଂଘ । ୨୦୧୭-୧୮ ମସିହାରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ବେଳେ ଏହାର ମନିଟରିଂ ପାଇଁ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହେବାର ଥିଲା । ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ଅର୍ଥ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗର ପ୍ରତିନିଧି, ଓଇଆର୍ସି ଏବଂ ପ୍ରତି ଡିସ୍କମ୍ର ସଦସ୍ୟ ଏଥିରେ ରହିବେ ବୋଲି କୁହଯାଇଥିଲା । ବିଡମ୍ବନାର ବିଷୟ ହେଲା ୩ ବର୍ଷ ପରେ ବି ଏପର୍ଯ୍ୟନ୍ତ ସେହି କମିଟି ଗଠନ ହୋଇ ପାରିଲା ନାହିଁ, ଯାହାକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ। ତେବେ ଆଗକୁ କେତେଦୂର କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକିରହିଲା ବ୍ୟୁରୋ ରିପୋର୍ଟ ସତ୍ୟପାଠ ନ୍ୟୁଜ।

Related Posts