ଲଖନପୁର ଡଙ୍ଗା ବୁଡି ଘଟଣା; ମୁଖ୍ୟ ଶାସନ ସଚିବ ଓ ଝାରସୁଗୁଡା ଏସପିଙ୍କୁ NHRCଙ୍କ ନୋଟିସ

ଭୁବନେଶ୍ୱର,୨୬/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣାରେ NHRCଙ୍କ ରିପୋର୍ଟ ତଲବ | ଓଡିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କ ସମେତ ଝାରସୁଗୁଡ଼ାର ଏସପି ଓ ଛତିଶଗଡ଼ର ରାୟଗଡ ଜିଲ୍ଲାର ଏସପିଙ୍କୁ ରିପୋର୍ଟ ମାଗିଛନ୍ତି NHRC | ଡଙ୍ଗା ବୁଡି ଘଟଣାରେ ଏପର୍ଯ୍ୟନ୍ତ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେନେଇ ୬ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ | ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ରୁଜୁ କରିଥିବା ମାମଲା ଆଧାରରେ ଏହି ନୋଟିସ ଜାରି କରିଛନ୍ତି NHRC |

ତେବେ ଗତ ଏପ୍ରିଲ 19 ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ନିକଟରେ ମହାନଦୀରେ ଏକ ଡଙ୍ଗା ବୁଡି ଯାଇଥିଲା | ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା | ମୃତକଙ୍କ ମଧ୍ୟରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଦୁଇ ନାବାଳକ ଓ ଦୁଇ ମହିଳା ମଧ୍ୟ ରହିଥିଲେ | ଏହି ଡଙ୍ଗାରେ ପ୍ରାୟ 50 ଜଣ ଲୋକ ଯାତ୍ରା କରୁଥିବା ବେଳେ ଏହାର କ୍ଷମତା ଏତେ ଲୋକଙ୍କୁ ନେବାର ନଥିଲା | ଏପରିକି ଡଙ୍ଗାଟିର ଲାଇସେନ୍ସ ମଧ୍ୟ ନଥିବା ଅଭିଯୋଗ ହୋଇଥିଲା | ଏନେଇ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ NHRCଙ୍କ ନିକଟରେ ମାମଲା ରୁଜୁ କରିଥିଲେ |

ଘଟଣାରର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଅପିଲ କରିଥିଲେ | ଏଥିସହିତ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ | ତାଙ୍କ ଆବେଦନକୁ ଗ୍ରହଣ କରି ଏବେ ଆକ୍ସନ ଟେକେନ ରିପୋର୍ଟ ତଲବ କରିଛନ୍ତି NHRC |

Related Posts