ଆଫଗାନିସ୍ତାନବାସୀଙ୍କ ମୌଳିକ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ମାନବୀୟ ସହାୟତା ଲୋଡ଼ା: TS ତିରୁମୂର୍ତ୍ତି

ସତ୍ୟପାଠ 23/12 ନ୍ୟୁୟର୍କ: ଆଫଗାନିସ୍ତାନର ଲୋକଙ୍କ ମୌଳିକ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଆବଶ୍ୟକ ମାନବୀୟ ସହାୟତା ବିଷୟରେ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି। ଅନେକ ଜନତା ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା ଆଫଗାନୀସ୍ତାନ ପ୍ରତି ମାନବୀୟ ସହାୟତା ଯୋଗାଣକୁ କଟକଣା ମୁକ୍ତ କରିବା ଲାଗି ଜାତିସଂଘ ନିରାପତ୍ତା ପରିଷଦ୍‌ର ପ୍ରସ୍ତାବନାକୁ ଭାରତ ସମର୍ଥନ କରିଥିବା କଥା ମଧ୍ୟ ସେ କହିଛନ୍ତି।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ତିରୁମୂର୍ତ୍ତି ବୁଧବାର ଦିନ କହିଛନ୍ତି, ଆଫଗାନିସ୍ତାନ ପାଇଁ ମାନବୀୟ ସହାୟତା ନିତାନ୍ତ ଜରୁରୀ। ସେଠାକାର ଅଧାରୁ ଅଧିକ ଲୋକ ଉତ୍କଟ ଖାଦ୍ୟଭାବର ସମ୍ମୁଖୀନ ହେଉଥିବା ରିପୋର୍ଟ ଆମେ ଦେଖିଛୁ। ଦାରିଦ୍ର୍ୟ ସୀମାରେଖା ତଳକୁ ଗତି କରୁଥିବା ଆଫଗାନିସ୍ତାନ ଜନତାଙ୍କ ମୌଳିକ ଖାଦ୍ୟ ଆବଶ୍ୟକତା ପୂରଣ ନିମନ୍ତେ ଜରୁରୀ ଭିତ୍ତିରେ ସହାୟତା ଯୋଗାଇ ଦେବା ଆବଶ୍ୟକ।ସେ ଆହୁରି ମଧ୍ୟ କହିଛନ୍ତି, ଗତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନର ବିକାଶ ପାଇଁ ଭାରତ ଉଲ୍ଲେଖନୀୟ ଅବଦାନ ଦେଇଛି। ନିକଟରେ ଆମେ ଅଧ ନିୟୁତ ଟିକା ଏବଂ ୧.୬ ମେଟ୍ରିକ୍‌ ଟନ୍‌ ଜୀବନ ରକ୍ଷାକାରୀ ଔଷଧ ଯୋଗାଇ ଦେଇଛୁ। ଅଧିକ ଔଷଧ ଏବଂ ଖାଦ୍ୟଶସ୍ୟ ଯୋଗାଇବା ପ୍ରକ୍ରିୟା ମଧ୍ୟ ଜାରି ରଖିଛୁ। ଗୁରୁତ୍ବାରୋପ କରି ସେ କହିଛନ୍ତି, ଶୀତ ପଡ଼ିଯାଇଛି। ତେଣୁ, ଜରୁରୀ ଭିତ୍ତିରେ ସହାୟତା ଯୋଗାଣ ବୃଦ୍ଧି କରାଯିବା ଉଚିତ। ଏଥିପାଇଁ ଜାତସଂଘ ଏବଂ ଅନ୍ୟାନ୍ୟ ଏଜେନ୍‌ସିମାନଙ୍କ ସହ ଅବାଧରେ ଯୋଗାଯୋଗ କରାଯାଇ ପାରିବ।

Related Posts