କେନ୍ଦ୍ରାପଡ଼ା, (ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ବନ୍ୟା ପରିସ୍ଥିତି। ଏହି ଅବସ୍ଥାରେ ଆବାସିକ ବିଦ୍ୟାଳୟରେ ପିଲାଙ୍କ ଦୁଃଖ କହିଲେ ନ ସରେ। ଆବାସିକ ବିଦ୍ୟାଳୟରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ୩ ଦିନ ଧରି ବନ୍ୟାଜଳ ଘେରରେ ଫସି ରହିଛନ୍ତି। ଖାଦ୍ୟ, ପାନୀୟ ଜଳ ପାଇଁ ପିଲାମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇ କାନ୍ଦି କାନ୍ଦି ନିଜ ଦୁଃଖ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କୁଳସାହି ଆଶ୍ରମ ଆବାସିକ ବିଦ୍ୟାଳୟର ଏ ସ୍ଥିତି। ପିଲାମାନେ ଅନେକ ସମସ୍ୟା ମଧ୍ୟରେ ଥିବା ଜଣାଇଛନ୍ତି। ଖାଦ୍ୟ ପାନୀୟ ଅସୁବିଧା ସହ ଶୌଚ ହେବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେପଟେ ଆବାସିକ ବିଦ୍ୟାଳୟ ନିକଟରେ ପାଣିର ପ୍ରବଳ ସୁଅ ଥିବାରୁ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ। ଏହାସହ ଛାତ୍ରଛାତ୍ରୀଙ୍କ ଅନ୍ୟ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।