ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟର ବଢୁଛି ଚିନ୍ତା, ହତାଶ ହୋଇଛନ୍ତି ଯୁବୋଦ୍ୟୋଗି

ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା ।

ଭୁବନେଶ୍ୱର: ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା । ତେବେ ସବୁଠୁ ଅଧିକ ଏନପିଏ ରହିଛି ଏମ୍ଏସ୍ଏମ୍ଇ ଏବଂ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ କ୍ଷେତ୍ରରେ । କରୋନା ଲକ୍‌ଡାଉନ୍ ଓ ସଟ୍‌ଡାଉନ ଏଥିପାଇଁ ଦାୟୀ ବୋଲି କୁହାଯାଉଥିବା ବେଳେ, ନୂଆକରି ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିବା ଉଦ୍ୟୋଗୀଙ୍କ ଅବସ୍ଥା କିନ୍ତୁ ଏଭଳି ସ୍ଥିତିରେ ଅସମ୍ଭାଳ ହେଲାଣି ।

ଏଠି ପ୍ରଶ୍ନ ଏବେ, ରାଜ୍ୟରେ କେତେ ବଢିଛି ଏନ୍‌ପିଏ ବା ନନ୍ ପରଫର୍ମିଂ ଆସେଟ୍‌ର ପରିମାଣ ? ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧ରେ ଏହି ପରିମାଣ ୧୧ ହଜାର ୩୩୯ କୋଟି ୩୭ ଲକ୍ଷ ଥିଲା ହେଲେ ଏହାର ଠିକ୍ ୩ ମାସ ପରେ ଅର୍ଥାତ୍ ୩୦ ଜୁନ୍‌ରେ ବଢି ପହଞ୍ଚିଥିଲା ୧୩ ହଜାର ୬୪୫ କୋଟି ୧୭ ଲକ୍ଷରେ । ଏହାର ଅର୍ଥ ୯୦ ଦିନ ଭିତରେ ବଢିଗଲା ୨ ହଜାର କୋଟିରୁ ଅଧିକ ।

ନିକଟରେ ଷ୍ଟେଟ ଲେବଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଆଖିତରାଟିଲା ଭଳି ତଥ୍ୟ । ଯଦିଓ କୃଷି, ଶିକ୍ଷା ଓ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ଏନପିଏ କମିଛି, କିନ୍ତୁ ଏମ୍ଏସ୍ଏମ୍ଇ ଏବଂ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ କ୍ଷେତ୍ରରେ କିନ୍ତୁ ଆଖିଦୃଶିଆ ବୃଦ୍ଧି ବ୍ୟାଙ୍କ ମାନଙ୍କ ଚିନ୍ତା ବଢାଇଛି । ସବୁଠୁ ଅଧିକ ମୁଣ୍ଡ ବ୍ୟଥାର କାରଣ ସାଜିଛି ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ । ଏଥିରେ ଏନ୍‌ପିଏ ପରିମାଣ ବଢ଼ି ୨୧.୧୭ ପ୍ରତିଶତରେ ପହଞ୍ଚିଛି, ଯାହାକି ଗତ ବର୍ଷ ଥିଲା ୧୮.୦୪ ପ୍ରତିଶତ ।

ସେହିପରି ଗତବର୍ଷ ତୁଳନାରେ ଏବର୍ଷ ଏମ୍ଏସ୍ଏମ୍ଇରେ ଏନ୍‌ପିଏର ପରିମାଣ ବି ବଢ଼ିଛି ଅଢ଼େଇ ପ୍ରତିଶତ । ୨୦୨୦ ମସିହାରେ ଏମ୍ଏସ୍ଏମ୍ଇର ଏନପିଏ ୮.୫୫ ପ୍ରତିଶତ ଥିଲା ବେଳେ ଏବର୍ଷ ୧୦.୧୨ ପ୍ରତିଶତକୁ ବଢିଛି । କରୋନା ମହାମାରୀ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲେ ବି ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।

ଏବେ ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋରେ ଏନପିଏ ମାଡ଼ରେ ଉଦ୍ୟୋଗୀଙ୍କ ସ୍ଥିତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଯୁବ ଉଦ୍ୟୋଗୀ ଶକ୍ତି ପ୍ରସାଦ ସାମନ୍ତ ୨୦୧୮ ମସିହାରେ ବ୍ୟାଙ୍କରୁ ଋଣ ନେଇଥିଲେ । ଏହାପାରେ କେଶପୁରସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆରମ୍ଭ କରିଥିଲେ ସାରାଣୀ ଡାଏରୀ ପ୍ଲାଣ୍ଟ । ଆଖପାଖ ୧୦ଟି ଗାଁର ଚାଷୀ ତାଙ୍କ ପ୍ଲାଣ୍ଟ ଉପରେ ନିର୍ଭର କରୁଥିବା ବେଳେ ସେଠି କାମ କରି ୪୦ରୁ ଅଧିକ କର୍ମଚାରୀ ରୋଜଗାରକ୍ଷମ ହୋଇଥିଲେ । ହେଲେ ମହାମାରୀ ଆରମ୍ଭରୁ ଲକ୍‌ଡାଉନ୍-ସଟ୍‌ଡାଉନ୍ କଟକଣା ଜନିତ ସମସ୍ୟା ପାଇଁ ପ୍ଲାଣ୍ଟ ପ୍ରାୟ ଅଚଳ ହୋଇଗଲା ।

ଯଦିଓ କରୋନା ସ୍ଥିତି ପାଇଁ ଗତ ମାର୍ଚ୍ଚ ପର୍ଯ୍ୟନ୍ତ କିସ୍ତି ସୁଝିବାକୁ ସମୟ ଦେଇଥିଲା ବ୍ୟାଙ୍କ, ହେଲେ ତାପରଠୁ ପରିସ୍ଥିତି ଆଉ ସହଯୋଗ କଲାନି । ତେଣୁ ଏବେ ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ନିଜେ ଶକ୍ତି ପ୍ରସାଦ ଓ ତାଙ୍କ ପ୍ଲାଣ୍ଟ । ଯଦି ଏଭଳି ସମୟରେ ଉଭୟ ବ୍ୟାଙ୍କ ଓ ସରକାର ସହଯୋଗ ନକରନ୍ତି, ତାହାଲେ ପ୍ଲାଣ୍ଟ ଆଉ ଟ୍ରାକ୍‌କୁ ଫେରିବା ନେଇ ତାଙ୍କର ସନ୍ଦେହ ବଢ଼ୁଛି ।

ତେବେ ଆଶ୍ୱସ୍ତିକର କଥା ହେଲା କୃଷି, ଶିକ୍ଷା, ଗୃହ ନିର୍ମାଣ କ୍ଷେତ୍ରରେ କମିଛି ଏନ୍‌ପିଏ । ଏମ୍ଏସଏମ୍ଇରେ ବିଷମ ସ୍ଥିତି ସୁଧାରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୁଷ ହିତାଧିକାରୀଙ୍କ ପାଇଁ ୨ ପ୍ରତିଶତ ଏବଂ ମହିଳା ହିତାଧିକାରୀଙ୍କ ପାଇଁ ଅଧିକ ୫ ପ୍ରତିଶତ ସୁଧ ଛାଡ଼ ବ୍ୟବସ୍ଥା କରାଯାଇଛି । ହେଲେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମରେ ମାର୍କେଟ ଲିଙ୍କେଜ ଅଭାବରୁ ଷ୍ଟାର୍ଟ ଅପ୍ ପ୍ରଭାବିତ ହେବା ଯୋଗୁଁ ଏନ୍‌ପିଏ ବଢୁଥିବାରୁ ଚିନ୍ତା ବି ବଢ଼ିଛି ।

Related Posts