ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): କେନ୍ଦ୍ର ସରକାରଙ୍କ MMDR (ଖଣି ଏବଂ ଖଣିଜ ଉନ୍ନୟନ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶା ରାଜନୀତିରେ ଉଷ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଲ୍ ପାରିତ ହେବା ପରଠାରୁ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ନିରନ୍ତର ସାମ୍ବାଦିକ ସମ୍ମିଳନୀ କରି ଚାଲିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଉଭୟ ଦଳ ଦାବି କରୁଛନ୍ତି । ତେବେ ବଡ଼ କଥା ହେଉଛି, ବିରୋଧୀଙ୍କ ଆକ୍ରମଣାତ୍ମକ ରଣନୀତି ଏବେ କେବଳ ପ୍ରେସ୍ କନ୍‌ଫରେନ୍ସ ରୁମ୍‌ରେ ହିଁ ଅଟକି ରହିଛି; ବାରମ୍ବାର ଆନ୍ଦୋଳନର ଧମକ ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପ୍ରକୃତ ପ୍ରତିଫଳନ ରାଜରାସ୍ତାରେ ଦେଖିବାକୁ ମିଳିନାହିଁ ।
ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହି ବିଲ୍ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ହକ୍ ଉପରେ ଚଡ଼କ ବୋଲି ଅଭିହିତ କରି ଦଳ କହିଛି ଯେ, ଯଦି କେନ୍ଦ୍ର ସରକାର ବିଲ୍ ପ୍ରତ୍ୟାହାର ନକରନ୍ତି, ତେବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ସମାନ ସ୍ୱରରେ ସ୍ପଷ୍ଟ କରିଛି ଯେ ସେମାନେ ଖୁବ୍‌ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବେ । ମାତ୍ର ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେବା ବ୍ୟତୀତ ବିରୋଧୀ ଦଳ କ୍ଷେତ୍ରସ୍ତରରେ କାହିଁକି ଆନ୍ଦୋଳନକୁ ତୀବ୍ର କରିପାରୁନାହାନ୍ତି, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ବିରୋଧୀଙ୍କ ଏହି ଆକ୍ରମଣକୁ କଡ଼ା ଭାଷାରେ ସମାଲୋଚନା କରିଛି ଶାସକ ବିଜେପି ଶିବିର । ଦଳ କହିଛି ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ହିସାବରେ ବିରୋଧୀଙ୍କର ଆନ୍ଦୋଳନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । କିନ୍ତୁ MMDR ସଂଶୋଧନ ବିଲ୍‌ରେ କ’ଣ ରହିଛି ତାହା ନବୁଝି, ତଥ୍ୟକୁ ବିକୃତ କରି ବିଜେଡି ଓ କଂଗ୍ରେସ ଓଡ଼ିଶାର ସାଧାରଣ ଜନତାଙ୍କୁ କାହିଁକି ଭ୍ରମିତ କରୁଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ହେଲେ ଏହାକୁ କାଉଣ୍ଟର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଥିଲେ ଯେ ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ।