ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଦିନକ ପରେ ଓଡ଼ିଶାର ପରବର୍ତ୍ତୀ ଡିଜିପି ନେଇ ଆସିପାରେ ବଡ଼ ଖବର। ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) କିଏ ହେବେ, ତାହାକୁ ନେଇ ଜାରି ରହିଥିବା ଉତ୍କଣ୍ଠା ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ରାଜ୍ୟରେ ନିୟମିତ ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଉପରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ସର୍ବୋଚ୍ଚ ଅଦାଲତରେ ପୁଣି ଶୁଣାଣି ହେବ । ଅଗଷ୍ଟ ୧୮ରେ ରାଜ୍ୟ ସରକାର ନିଜର ପକ୍ଷ ରଖିସାରିଥିବା ବେଳେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଏହି ମାମଲାରେ ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇପାରନ୍ତି । ଫଳରେ ଦିନକ ପରେ ଓଡ଼ିଶା ପୁଲିସ ମୁଖ୍ୟ ଚୟନକୁ ଘେରି ରହିଥିବା ଅନିଶ୍ଚିତତା ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
ବିବାଦର ମୁଖ୍ୟ କାରଣ ହେଉଛି ସୁପ୍ରିମକୋର୍ଟଙ୍କ ଐତିହାସିକ ‘ପ୍ରକାଶ ସିଂହ’ ମାମଲାର ନିର୍ଦ୍ଦେଶାବଳୀର ପାଳନ । ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ପ୍ରଥମେ ତିନି ଜଣ ଡିଜି ପାହ୍ୟା ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ସୁପାରିସ ପାଇଁ ପଠାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ପଦୋନ୍ନତି ଦେଇ ପ୍ୟାନେଲକୁ ବଡ଼ କରିଥିଲେ । ଏହି ପ୍ରକ୍ରିୟାକୁ ନିୟମ ଉଲ୍ଲଂଘନ ଦର୍ଶାଇ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା ଏବଂ ଯୋଗ୍ୟତା ଭିତ୍ତିରେ ନାମ ପଠାଇବା ରାଜ୍ୟ ସରକାରଙ୍କ ଆଇନଗତ ଅଧିକାର । ସେପ୍ଟେମ୍ବର ୨ ତାରିଖର ଶୁଣାଣି ଉପରେ ଏବେ ସମଗ୍ର ପ୍ରଶାସନିକ କଳର ନଜର ରହିଛି । ଯଦି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବୈଧ ଘୋଷଣା କରନ୍ତି, ତେବେ ୟୁପିଏସ୍‌ସି ଚୟନ ପ୍ରକ୍ରିୟା ଶେଷ କରି ତିନି ଜଣିଆ ନାମ ତାଲିକା ପଠାଇବ ଏବଂ ଖୁବ୍‌ଶୀଘ୍ର ନୂଆ ଡିଜିପିଙ୍କ ନାମ ଘୋଷଣା ହେବ ।