ଭୋପାଲ: ସରକାରୀ ଚାକିରିଟିଏ ମିଳିଲେ, ବାବୁମାନେ ସରକାରଙ୍କ ମାଲ ଦରିଆ ମେଁ ଡାଲ ନୀତି ଆପଣେଇଥାନ୍ତି। ସରକାରଙ୍କ ସମସ୍ତ ସୁବିଧା ନେବା ସହ ସରକାରୀ ଅର୍ଥ ମଧ୍ୟ ଲୁଟିବାକୁ ପଛାନ୍ତି ନାହିଁ। ଚାକିରି ମିଳୁ ମିଳୁ ମାନ ମର୍ଯ୍ୟଦା ସବୁ କିଛି ଭୁଲି ଅର୍ଥ ଉପାର୍ଜନରେ ଲାଗି ପଡ଼ନ୍ତି। ଖୁଲମଖୁଲା ଲାଞ୍ଚ କାରବାରରେ ଲିପ୍ତ ରହି କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ଆଜିକାଲି ଯେତେବେଳେ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ବାବୁମାନେ ସରକାରୀ ଅର୍ଥକୁ ଲୁଟୁଥିବାବେଳେ ଜଣେ ଜଜ ସମସ୍ତ ସରକାରୀ ସୁବିଧା ସବୁକୁ ପ୍ରତ୍ୟାଖ୍ୟାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଜଜଙ୍କ ନାମ ହେଉଛି ଅକ୍ଷୟ କୁମାର ଦ୍ବିବେଦୀ। ସରକାରୀ ସୁବିଧା ପ୍ରତ୍ୟାଖ୍ୟାନ କରି ମଧ୍ୟପ୍ରଦେଶର ବିଚାରପତି ଅକ୍ଷୟ କୁମାର ଦ୍ୱିବେଦୀ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ପଦବୀକୁ ମିଳୁଥିବା ସରକାରୀ ବଙ୍ଗଳା ଏବଂ ସରକାରୀ ଗାଡ଼ି ନେବାକୁ ମନା କରିଦେଇଛନ୍ତି। ଏହା ବ୍ୟତୀତ ସେ ନିଜ ଦରମାରୁ ଅଧା ନେବାକୁ ମଧ୍ୟ ଆବେଦନ କରିଥିବା ଜଣାପଡ଼ିଛି। ଏପରିକି ନିଜେ ରୋଷେଇ କରି ଚାଲି ଚାଲି କୋର୍ଟ ଯାଇଥାନ୍ତି। ସେ ପୂର୍ବରୁ ମଧ୍ୟପ୍ରଦେଶର ଖଣ୍ଡୱାରେ ଅତିରିକ୍ତ ସେସନ୍ସ ଜଜ ଭାବେ କାର୍ଯ୍ୟରତ ଥିଲେ। ଏବେ କିନ୍ତୁ ଛିଣ୍ଡୱାରାରେ ଫ୍ୟାମିଲି କୋର୍ଟର ମୁଖ୍ୟ ଜଜ ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ଦ୍ବିବେଦୀ ସରକାରୀ କ୍ବାର୍ଟର୍ସରେ ରହିବାକୁ ଏବଂ ସରକାରୀ ଗାଡି ବ୍ୟବହାର କରିବାକୁ ମନା କରିଦେଇଛନ୍ତି। ସେ ଗୋଟିଏ ରୁମ ଭଡା ନେଇ ସେଠି ଏକା ରହୁଛନ୍ତି। ନିଜେ ରୋଷେଇ କରି ଖାଉଛନ୍ତି ଏବଂ ଚାଲି ଚାଲି କୋର୍ଟକୁ ଆସୁଛନ୍ତି। ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିବା ଜଷ୍ଟିସ ଦ୍ବିବେଦୀ ରାଜ୍ୟ ହାଇକୋର୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ତାଙ୍କ ଦରମା ଅଧା କରି ଦିଆଯାଉ। କାରଣ ସେ ଏତେ ଅର୍ଥ ଆବଶ୍ୟକ କରୁନାହାନ୍ତି। ସେହିପରି ତାଙ୍କୁ ଯେ କୌଣସି ସ୍ଥାନକୁ ବଦଳି କରାଗଲେ ବି ସେ ସେଠିକି ଯିବା ପାଇଁ ରାଜି ଥିବାର ହାଇକୋର୍ଟଙ୍କୁ ସୂଚୀତ କରିଛନ୍ତି। ଅତ୍ୟାଧୁନିକ ଏବଂ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀଠାରୁ ସେ ଦୂରରେ ରହୁଥିବାବେଳେ ଏହା ତାଙ୍କ ସଚ୍ଚୋଟତା ଏବଂ ନିଃସ୍ୱାର୍ଥପରତାର ନିଦର୍ଶନ। ସାଧାରଣ ଜନତାଙ୍କ ସେବା କରିବା ଏବଂ କୌଣସି ପ୍ରକାର ସରକାରୀ ସୁବିଧାକୁ ବ୍ୟକ୍ତିଗତ ଲାଭ ପାଇଁ ଉପଯୋଗ ନକରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ,ତାଙ୍କ ମାଆ ଏକ ସମ୍ପତ୍ତି ବିବାଦ ମାମଲାକୁ ନେଇ ବାରମ୍ବାର କୋର୍ଟ ଦୌଡ଼ିବା ଓ ହଇରାଣ ହେବାର ଦେଖି ସେ ନିଜେ ଜଜ ହେବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ତାଙ୍କ ନିକଟକୁ ଆସୁଥିବା କେସଗୁଡିକର ଯେମିତି ଖୁବ କମ ଦିନରେ ଫୈସଲା ହୋଇପାରିବ ସେଥିପାଇଁ ସେ ସବୁବେଳେ ପ୍ରୟାସ କରିଆସୁଛନ୍ତି।
