ଭୁବନେଶ୍ୱର: ଓଡ଼ିଶାକୁ ବିମାନ ଭଡ଼ା ଆକାଶଛୁଆଁ । କେନ୍ଦ୍ରମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି । ଶୀତକାଳୀନ ଛୁଟି ଓ ନୂଆବର୍ଷ ପୂର୍ବରୁ ବିମାନ ଭଡ଼ା ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଅତିରିକ୍ତ ବିମାନ ଚଳାଚଳ ପାଇଁ ଦାବି । ଶୀତକାଳୀନ ଛୁଟି ଓ ନୂଆବର୍ଷ ପୂର୍ବରୁ ଓଡ଼ିଶାକୁ ବିମାନ ଭଡ଼ା ବୃଦ୍ଧି ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଭୁବନେଶ୍ୱର ଓ ଝାରସୁଗୁଡ଼ା ସହ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ଓ ପୁଣେ ଭଳି ପ୍ରମୁଖ ସହରକୁ ସଂଯୋଗ କରୁଥିବା ବିମାନର ଭଡ଼ା ବାରମ୍ବାର ବୃଦ୍ଧି ପାଉଛି । ଏହାଦ୍ୱାରା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଛାତ୍ରଛାତ୍ରୀ, ଚାକିରିଆ ଓ ସେମାନଙ୍କ ପରିବାର ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି । ପର୍ବପର୍ବାଣୀ ଓ ଛୁଟି ସମୟରେ ଘରକୁ ଫେରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ବୋଲି ଚିଠିରେ ଦର୍ଶାଇଛନ୍ତି ସସ୍ମିତ ପାତ୍ର। ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ଏକାଧିକ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି ସାଂସଦ । ଦିଲ୍ଲୀ-ଭୁବନେଶ୍ୱର ଯିବାଆସିବା ବିମାନ ଟିକେଟ୍ ର ହାରାହାରି ମୂଲ୍ୟ ଫେବ୍ରୁଆରୀରେ ୧୪ ହଜାର ୩୨ ଟଙ୍କା ଥିବାବେଳେ ଅକ୍ଟୋବରରେ ଏହା ୧୯ ହଜାର ୨୯୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ପ୍ରାୟ ୩୭.୫ ପ୍ରତିଶତ ଭଡ଼ା ବୃଦ୍ଧି ହୋଇଥିଲା । ସେହିପରି ୨୦୨୬ ଦୀପାବଳି ପୂର୍ବରୁ ବେଙ୍ଗାଲୁରୁ-ଝାରସୁଗୁଡ଼ା ସିଧାସଳଖ ବିମାନର ଭଡ଼ା ୪ ହଜାର ୨୦୦ ଟଙ୍କାରୁ ୧୬ ହଜାର ୨୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ବୃଦ୍ଧି ପ୍ରାୟ ୨୮୬ ପ୍ରତିଶତ। ଅତ୍ୟଧିକ ବିମାନ ଭଡ଼ା ଯୋଗୁଁ ଅନେକ ଯାତ୍ରୀ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଧ୍ୟ ଭୁବନେଶ୍ୱର ଫେରିପାରିନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପଟେ ଭୁବନେଶ୍ୱରରୁ ଘରୋଇ ବିମାନ ସେବା ଉପଲବ୍ଧ ଥିବା ସହର ସଂଖ୍ୟା ୨୦୨୫ରେ ୨୯ ଥିବାବେଳେ ୨୦୨୬ରେ ଏହା ୧୯କୁ ହ୍ରାସ ପାଇଛି। ଅଥଚ ୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦର ଦେଇ ୫୧ ଲକ୍ଷ ଯାତ୍ରୀ ଯାତାୟାତ କରିଛନ୍ତି । ୨୦୨୫ ଅକ୍ଟୋବରରେ ପାର୍ବଣ ଋତୁ ସମୟରେ ଦେଶର ୧୦୦ଟି ରୁଟ୍ ରେ ୧୭ ଶହ ୫୦ଟି ଅତିରିକ୍ତ ବିମାନ ଚଳାଚଳ କରାଯାଇଥିଲା। ଏହା ବିମାନ ଭଡ଼ା ନିୟନ୍ତ୍ରଣରେ ସହାୟକ ହୋଇଥିଲା ବୋଲି ଦର୍ଶାଇଛନ୍ତି ସସ୍ମିତ ପାତ୍ର । ପାର୍ବଣ ଋତୁରେ ବିମାନ ଭଡ଼ା ଉପରେ ନଜର ରଖିବା, ଭଡ଼ାର ଯୁକ୍ତିସଙ୍ଗତ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଓ ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣରେ ସ୍ୱଚ୍ଛତା ପାଇଁ ୨୦୨୩ରେ ସଂସଦୀୟ ସ୍ଥାୟୀ କମିଟିର ୩୫୩ତମ ରିପୋର୍ଟରେ ସୁପାରିସ କରାଯାଇଥିଲା । ତେବେ ବର୍ତ୍ତମାନ ଡିଜିସିଏ ପ୍ରତି ମାସରେ ମାତ୍ର ୭୮ଟି ବିମାନ ରୁଟ୍ ର ଭଡ଼ା ଉପରେ ନଜର ରଖୁଛି। ଏହା ଦେଶର ଘରୋଇ ବିମାନ ଯାତାୟାତର ପ୍ରାୟ ୨୭ ପ୍ରତିଶତ ବୋଲି ଚିଠିରେ ଦର୍ଶାଯାଇଛି। ଆଗକୁ ଶୀତକାଳୀନ ଛୁଟି, ବଡ଼ଦିନ ଓ ନୂଆବର୍ଷ ଥିବାରୁ ଓଡ଼ିଶାକୁ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭଡ଼ା ଅହେତୁକ ବୃଦ୍ଧି ପାଇବା ପୂର୍ବରୁ କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନିଅନ୍ତୁ। ଓଡ଼ିଶାକୁ ସଂଯୋଗ କରୁଥିବା ବିମାନ ରୁଟ୍ ର ଭଡ଼ା ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଅତିରିକ୍ତ ବିମାନ ଚଳାଚଳ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର।
