ଭୁବନେଶ୍ୱର: ଚାକିରିରୁ ବାଦ୍ ଦେବା ନିଷ୍ପତ୍ତି ବିରୋଧରେ ଓଡ଼ିଶାର ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେଇଛି। ଭୁବନେଶ୍ୱର ସମେତ ଏକାଧିକ ସ୍ଥାନରେ କର୍ମଚାରୀମାନେ ୧୧୦ ଓ ୧୩୩ କେଭି ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଥିଲେ। ଏହି ଘଟଣା ପରେ ରାଜ୍ୟ ସରକାର ଟାଟା ପାୱାର ଡିସକମ୍ଗୁଡ଼ିକରେ କାର୍ଯ୍ୟରତ ୩,୧୫୫ ଜଣ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଡିସଏନ୍ଗେଜ୍ମେଣ୍ଟ ନୋଟିସ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱରର ସତ୍ୟ ବିହାର, ଆଚାର୍ଯ୍ୟ ବିହାର ଓ ନଅତାଲା ନିକଟରେ କିଛି କର୍ମଚାରୀ ବିଦ୍ୟୁତ୍ ଟାୱାର ଉପରେ ଚଢ଼ିଥିଲେ। ସେହିପରି ପିପିଲିର ସିଫା ଛକ ଓ ଖୋର୍ଦ୍ଧାର ପିତାପଲ୍ଲୀ ଅଞ୍ଚଳରେ ମଧ୍ୟ ଏଭଳି ପ୍ରତିବାଦ ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ତଳକୁ ଓହ୍ଲାଇବାକୁ ବୁଝାଇଥିଲେ। ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ସଂଯୋଗ ବନ୍ଦ କରାଯିବା ସହ ଉଦ୍ଧାରକାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଥିଲା। କେତେ ଘଣ୍ଟାର ଉଦ୍ୟମ ପରେ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା।
ଅନ୍ୟପକ୍ଷରେ, ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ। ଟାଟା ପାୱାର ଡିସକମ୍ଗୁଡ଼ିକରେ କାର୍ଯ୍ୟରତ ୩,୧୫୫ ଜଣ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ଦିଆଯାଇଥିବା ଡିସଏନ୍ଗେଜ୍ମେଣ୍ଟ ନୋଟିସ୍ ପ୍ରତ୍ୟାହାର କରାଯିବ। ସେମାନେ ପୂର୍ବଭଳି ମେଣ୍ଟେନାନ୍ସ, ପ୍ରୋଜେକ୍ଟ, ମିଟର ରିଡିଂ ଓ ବିଲ୍ କଲେକ୍ସନ୍ ଭଳି କାର୍ଯ୍ୟରେ ନିୟୋଜିତ ରହିବେ। ଏହାସହ କର୍ମଚାରୀମାନଙ୍କୁ ସେମାନଙ୍କ ପୂର୍ବ ଡିଭିଜନ୍ରେ ରଖାଯିବ ଏବଂ ଅନ୍ୟ ଡିଭିଜନ୍କୁ ବଦଳି କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।
ତେବେ ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ଗ୍ରହଣ କରାଯାଇନାହିଁ। ୨୦୨୫ ଅକ୍ଟୋବରରେ ଚାକିରିରୁ ବାଦ୍ ପଡ଼ିଥିବା ୧୯୨ ଜଣ କଷ୍ଟମର୍ କେୟାର ଆସିଷ୍ଟାଣ୍ଟ (CCA)ଙ୍କୁ ପୁନଃନିଯୁକ୍ତି ଦେବା ଦାବିକୁ ସରକାର ଗ୍ରହଣ କରିନାହାନ୍ତି। ଶକ୍ତିମନ୍ତ୍ରୀଙ୍କ ଯୁକ୍ତି ଅନୁସାରେ, ଗ୍ରାହକଙ୍କ ଅଭିଯୋଗ ଶୁଣିବା ପାଇଁ ୨୪ ଘଣ୍ଟିଆ କଲ୍ ସେଣ୍ଟର୍ ଓ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ଏହି କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାର ଆବଶ୍ୟକତା ନାହିଁ।
ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିବା ଘଟଣାକୁ ଶକ୍ତିମନ୍ତ୍ରୀ ନାପସନ୍ଦ କରିବା ସହ ଏଭଳି କାର୍ଯ୍ୟ ଯୋଗୁଁ ସାଧାରଣ ଲୋକଙ୍କ ବିଦ୍ୟୁତ୍ ସେବା ପ୍ରଭାବିତ ହେବାର ଆଶଙ୍କା ରହିଥିବା କହିଛନ୍ତି। ଏଭଳି କାର୍ଯ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବା ନେଇ ମଧ୍ୟ ସେ ଚେତାବନୀ ଦେଇଛନ୍ତି।
ସରକାରଙ୍କ ଘୋଷଣା ପରେ ୩,୧୫୫ ଜଣ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଚାକିରି ସମ୍ପର୍କିତ ଅନିଶ୍ଚିତତା ଦୂର ହେବାର ଆଶା ରହିଛି। ତେବେ ୧୯୨ ଜଣ CCA କର୍ମଚାରୀଙ୍କ ପୁନଃନିଯୁକ୍ତି ଦାବି ଅଗ୍ରାହ୍ୟ ହୋଇଥିବାରୁ ଏହି ପ୍ରସଙ୍ଗରେ ଆନ୍ଦୋଳନର ପରବର୍ତ୍ତୀ ଦିଗ କ’ଣ ହେବ, ତାହା ଉପରେ ନଜର ରହିଛି।
