ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଭାରତ ଓ ବ୍ରିଟେନ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି କାର୍ଯ୍ୟକାରୀ ହେବା ପରେ, ପ୍ରଥମ ଥର ପାଇଁ ଓଡ଼ିଶାର ‘କୃତି କଫି’ ଲଣ୍ଡନରେ ପହଞ୍ଚିଛି। ତେବେ ଖୁସି ଖବର, ବିନା ଶୁଳ୍କରେ ଓଡ଼ିଶାର ‘କୃତି କଫି’ ଓ ଭାରତୀୟ ଗହଣା ଲଣ୍ଡନରେ ପହଞ୍ଚି ପାରିଛି। ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବାଣିଜ୍ୟିକ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ପ୍ରଥମ ଥର ଲାଗି ବିନାଶୁଳ୍କରେ ଭାରତୀୟ ସାମଗ୍ରୀ ବ୍ରିଟେନରେ ପହଞ୍ଚିଛି। ଜୁଲାଇ ୧୫ ତାରିଖରୁ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଥିବା ବେଳେ, ପ୍ରଥମ ରପ୍ତାନି ଚାଲାଣରେ ଭାରତୀୟ ଗହଣା ଏବଂ ଓଡ଼ିଶାର ପ୍ରସିଦ୍ଧ ‘କୃତି କଫି’ ପଠାଇଛି। ଓଡ଼ିଶାର ‘କୃତି କଫି’ ପ୍ରଥମ ଭାରତୀୟ କଫି ଭାବେ ସିଇଟିଏ ଚୁକ୍ତି ଅଧୀନରେ ବ୍ରିଟେନ୍କୁ ରପ୍ତାନି ହୋଇଛି। ଆସନ୍ତା ଅଗଷ୍ଟ ୧ ତାରିଖରେ ଲଣ୍ଡନରେ କୃତି କଫିର ପ୍ରଥମ ଆନ୍ତର୍ଜାତୀୟ କାଫେ ଖୋଲିବାକୁ ଯାଉଛି। ୟୁକେରେ ଥିବା ଭାରତୀୟ ହାଇକମିଶନରଙ୍କ ସୂଚନା ଅନୁଯାୟୀ, ଏହି ଚୁକ୍ତି ଅଧିନରେ ଭାରତରୁ ବ୍ରିଟେନକୁ ରପ୍ତାନି ହେଉଥିବା ପ୍ରାୟ ୯୯ ପ୍ରତିଶତ ସାମଗ୍ରୀକୁ ରହିଛି। ଯାହାଦ୍ୱାରା ବ୍ୟବସାୟୀମାନେ ବ୍ୟାପକ ସୁବିଧା ପାଇପାରିବେ।
