ଭରୁଚ, (ସତ୍ୟପାଠ ବ୍ୟୁରୋ) : ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ ଔଷଧ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭରୁଚ ଜିଲ୍ଲାର ଭାଗ୍ରା ତାଲୁକା ଅନ୍ତର୍ଗତ ସାୟଖା ଜିଆଇଡିସି ଶିଳ୍ପାଞ୍ଚଳରେ ଥିବା ସିନ୍‌ଜିଲ୍‌ ଫାର୍ମାକେମ୍‌ କମ୍ପାନିରେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଥିଲା। କାରଖାନାରେ ହାଇଡ୍ରୋଜେନେସନ୍‌ ପ୍ରକ୍ରିୟା ଚାଲିଥିବା ବେଳେ ପ୍ରାୟ ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ରିଆକ୍ଟରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଯନ୍ତ୍ରପାତି ଓ ଧାତବ ଅଂଶ ଏଣେତେଣେ ଛିଟିକି ପଡ଼ିଥିଲା। ଏହାର ଶବ୍ଦ ଆଖପାଖ ଅଞ୍ଚଳରେ ମଧ୍ୟ ଶୁଣାଯାଇଥିଲା।

ବିସ୍ଫୋରଣ ପରେ କାରଖାନାରୁ ମିଥାଇଲିନ୍‌ ଡାଇକ୍ଲୋରାଇଡ୍‌ ଗ୍ୟାସ୍‌ ଲିକ୍‌ ହେବା ଫଳରେ କାରଖାନା ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ଧୂଆଁ ଖେଳିଯାଇଥିଲା। କିଛି ଶ୍ରମିକ ଓ ସ୍ଥାନୀୟ ଲୋକମାନେ ଆଖିରେ ଜଳାପୋଡା ହେଉଥିବା ଅଭିଯୋଗ କରିଥିଲେ।