ଓଡିଶାରେ ରାଷ୍ଟ୍ରପତି, ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ କଲେ ସ୍ବାଗତ

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ୩ଟା ୦୫ରେ ପୁରୀ ହେଲିପ୍ୟାଡରେ ପହଁଚିବେ । ହେଲିପ୍ୟାଡରୁ ୩ଟା ୧୫ରେ ବାହାରି ୩ଟା ୨୫ରେ ରାଜଭବନରେ ଅବସ୍ଥାନ କରିବେ । ୪ଟା ୫୦ରେ ରାଜଭବନରୁ ବାହାରି ଶ୍ରୀମନ୍ଦିରକୁ ଯିବେ । ସଂଧ୍ୟା ୫ଟାରୁ ୫ଟା ୪୫ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦର ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ସିଂହଦ୍ୱାର ନିକଟରେ ଅସ୍ଥାୟୀ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ତାଙ୍କ ଝିଅଜ୍ୱାଇଁ ଓ ରାଜ୍ୟପାଳ ଗଣେଶୀ ଲାଲ ରହିବେ ।

ସେପଟେ ରାଷ୍ଟ୍ରପତିଙ୍କ ସହ ଆସିଥିବା ୪୦ ଜଣ ଅତିଥି ଘରୋଇ ହୋଟେଲରେ ରହିବେ । ଅଫିସିଆଲ୍ କର୍ମକର୍ତା ସର୍କିଟ ହାଉସ୍ ଓ ପାନ୍ଥନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦ ତାରିଖରେ ଗୌଡୀୟ ମଠ ପରିଦର୍ଶନ କରି ଆଳତୀ କର୍ଯ୍ୟକ୍ରମରେ ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ତ୍ରିବର୍ଷିୟ ଶ୍ରୀଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାଯ୍ୟକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts