ଭୁବନେଶ୍ବର, (ସତ୍ୟପାଠ ବ୍ୟୁରୋ ): ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ବଡ଼ ବୟାନ। ଘଟଣା ପଛରେ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଥିବା ବେଳେ, ଏହାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି । ତଦନ୍ତ ଶେଷ ହେବା ପରେ ଅଳ୍ପ କିଛି ଦିନ ମଧ୍ୟରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଘଟଣାକୁ ନେଇ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଓରାଙ୍ଗଉଟାନଙ୍କ ଆସିବା, ସେମାନଙ୍କ ସହ ଜଡ଼ିତ ବ୍ୟକ୍ତି ଓ ଘଟଣାର ପଛରେ ଥିବା ସମ୍ଭାବ୍ୟ ନେଟୱର୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି । ଘଟଣାକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସମସ୍ତ ଓରାଙ୍ଗଉଟାନ ସୁସ୍ଥ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ଘଟଣା ପଛରେ ପ୍ରକୃତରେ କିଏ ରହିଛି, କେଉଁ ଉଦ୍ଦେଶ୍ୟରେ ଏଭଳି ଘଟଣା ଘଟିଛି ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସେପଟେ ଘଟଣାର ତଦନ୍ତ ଶୀଘ୍ର ଶେଷ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ତଦନ୍ତକାରୀ ସଂସ୍ଥାର ରିପୋର୍ଟ ଆସିବା ପରେ ଓରାଙ୍ଗଉଟାନ ଘଟଣାର ପୂରା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
