ମୁମ୍ବାଇ(ସତ୍ୟପାଠବ୍ୟୁରୋ) : ଓଲା, ଉବର ଏବଂ ରାପିଡୋ ଭଳି ରାଇଡ୍ ଆପ୍ ବ୍ୟବହାର କରୁଥିବା ଯାତ୍ରୀ ଏବଂ ଚାଳକମାନଙ୍କ ପାଇଁ ଏକ ନୂଆ ଆସିଛି । ଆପ୍-ଆଧାରିତ ଟ୍ୟାକ୍ସି ଏବଂ ଅଟୋ ସେବାକୁ ଅଧିକ ନିୟନ୍ତ୍ରିତ ଓ ସୁରକ୍ଷିତ କରିବା ପାଇଁ ପରିବହନ ବିଭାଗ ନୂଆ ନିୟମାବଳୀ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନୂତନ ନିୟମ ମହାରାଷ୍ଟ୍ରରେ ଲାଗୁ ହେବାକୁ ଯାଉଛି। ଏହି ବ୍ୟବସ୍ଥା ଅଧୀନରେ ଆପ୍ ସେବା ଯୋଗାଉଥିବା ସମସ୍ତ ଏଗ୍ରିଗେଟର କମ୍ପାନିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କଠାରୁ ବାଧ୍ୟତାମୂଳକ ଭାବେ ଲାଇସେନ୍ସ ନେବାକୁ ପଡ଼ିବ। ନୂଆ ନିୟମ ଅନୁସାରେ, ଗାଡ଼ି ଚାଳକମାନଙ୍କ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଜ୍ ଏବଂ ପୁଲିସ ଭେରିଫିକେସନ୍ ରିପୋର୍ଟ ରହିବା ଅନିବାର୍ଯ୍ୟ କରାଯାଇଛି। ଏହାସହିତ ଗାଡ଼ି ଚଲାଉଥିବା ଡ୍ରାଇଭରମାନଙ୍କୁ ବ୍ୟାବହାରିକ ଭାଷାର ଜ୍ଞାନ ରହିବା ବାଧ୍ୟତାମୂଳକ। ସମ୍ପୃକ୍ତ ସହରରେ ଅତିକମରେ ୧୫ ବର୍ଷର ରହଣି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଜାଲ୍ କାଗଜପତ୍ର ଦେଇଥିବା ଡ୍ରାଇଭରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏ ସମ୍ପୂର୍ଣ୍ଣ ନିୟମାବଳୀ ଲାଗୁ ହେବାକୁ ଯାଉଛି ମହାରାଷ୍ଟ୍ରରେ । ଟ୍ୟାକ୍ସି ଏବଂ ଅଟୋରିକ୍ସା ପରେ ଏବେ ଓଲା, ଉବର, ରାପିଡୋ ଭଳି ସେବା ଉପରେ କଡ଼ା ନଜର ରଖିବାକୁ ପରିବହନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେପ୍ଟେମ୍ବର ୧ ରୁ ଲାଗୁ ହେବାକୁ ଥିବା ଏହି ନିୟମାବଳୀ ମହାରାଷ୍ଟ୍ରର ସହରୀ ପରିବହନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ନିରାପଦ ଏବଂ ଶୃଙ୍ଖଳିତ କରିବ ବୋଲି ଆଶା କରାଯାଉଛି।
ଯାତ୍ରୀଙ୍କ ସୁରକ୍ଷା ଏବଂ ଡ୍ରାଇଭରଙ୍କ କଲ୍ୟାଣକୁ ଧ୍ୟାନରେ ରଖି କାର୍ଯ୍ୟସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ନୂଆ ନିୟମ ଅନୁଯାୟୀ, କୌଣସି ଡ୍ରାଇଭର କ୍ରମାଗତ ୧୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଲାଇ ପାରିବେ ନାହିଁ। ଏହାଛଡ଼ା, ମୋଟ ଭଡ଼ା ଆଦାୟର ଅତିକମରେ ୮୦ ପ୍ରତିଶତ ଅଂଶ ଡ୍ରାଇଭରଙ୍କୁ ପ୍ରଦାନ କରିବା ପାଇଁ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି ପାଇଁ ସମସ୍ତ କ୍ୟାବ୍ ଏବଂ ଅଟୋରେ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ସଂଯୋଗ କରାଯିବ, ଯାହା ଦ୍ୱାରା ପରିବହନ ବିଭାଗ ସେଗୁଡ଼ିକର ଅନଲାଇନ୍ ମୋନିଟରିଂ କରିପାରିବ।
