ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିଛି । ଏହାର ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହାଇ ଆଲର୍ଟ କରାଯାଇଛି। ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶ ସୀମାନ୍ତ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ମଧ୍ୟ ଭାରତର ବହୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହିମାଳୟ ପାର୍ବତ୍ୟ ଅଞ୍ଚଳଠାରୁ ଆରମ୍ଭ କରି ମୈଦାନୀ ଭାଗ ପର୍ଯ୍ୟନ୍ତ ମୌସୁମୀ ନିଜର ରୌଦ୍ରରୂପ ଦେଖାଇବ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ବର୍ଷାର ପ୍ରକୋପ ସବୁଠାରୁ ଅଧିକ ରହିବ। ପଶ୍ଚିମ ଓ ପୂର୍ବ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବହିବାର ଚେତାବନୀ ଦିଆଯାଇଛି। ସେହିପରି ମଧ୍ୟ ପ୍ରଦେଶରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବର୍ଷା ଲାଗିରହିବାକୁ ଥିବାବେଳେ ଛତିଶଗଡ଼ରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ମୁଷଳଧାରାରେ ବର୍ଷା ହେବାର ସମ୍ଭାବନା ଅଛି।

ଦିଲ୍ଲୀ-ଏନସିଆର,ହରିୟାଣା ଏବଂ ଚଣ୍ଡୀଗଡ଼ରେ ମେଘାଚ୍ଛନ୍ନ ଆକାଶ ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ଝଡ଼ପବନ ବହିବାର ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ପ୍ରମୁଖ ଜିଲ୍ଲାଗୁଡ଼ିକରେ ବାଦଲଫଟା ବର୍ଷା, ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସିବା ଏବଂ ଭୂସ୍ଖଳନ ଭଳି ବିପଦ ବୃଦ୍ଧି ପାଇଛି।

ପୂର୍ବୋତ୍ତର ଭାରତର ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ତ୍ରିପୁରା ଆଦି ରାଜ୍ୟରେ ମଧ୍ୟ ବର୍ଷାର କୋପ ଜାରି ରହିବ। ଏହାସହିତ କୋଙ୍କଣ, ଗୋଆ ଏବଂ କର୍ଣ୍ଣାଟକ ଉପକୂଳରେ ଅଗଷ୍ଟ ୨୫ ଯାଏଁ ପ୍ରବଳ ବର୍ଷା ହେବା ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।