କରୋନା ଭୟ: ଫିକା ପଡିଲା ଖଣ୍ଡଗିରି ମାଘମେଳା

ଖଣ୍ଡଗିରି ମେଳା ଉପରେ ପଡିଛି କରୋନା ମହାମାରୀର ପ୍ରଭାବ | ପୂର୍ବରୁ ବିଶ୍ୱଶାନ୍ତି ଯଜ୍ଞ ପାଇଁ ଶହ ଶହ ସାଧୁ ସନ୍ଥ ଙ୍କ ଭିଡ ଜମୁଥିବା ବେଳେ, କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବହୁତ କମ୍ ରହିଛି | ସେହିପରି ଭକ୍ତଙ୍କ ଗହଳି ମଧ୍ୟ ନାହିଁ । ଖଣ୍ଡଗିିରି ମେଳାରେ ଆଜିଠାରୁ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହେବ ।

ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ବିଶ୍ୱଶାନ୍ତି ଯଜ୍ଞ । ଅନନ୍ତ ଗୁମ୍ଫା ସମ୍ମୁଖରେ ଗୋସ୍ୱାମୀ ପିତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ଜାଗମରା ପୋଖରୀରୁ ଘଟ ଆଣି ସ୍ଥାପନ କରିବେ । ଏହି ଅବସରରେ କଳସ ଶୋଭାଯାତ୍ରା ମଧ୍ୟ ହେବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା |

ମନ୍ଦିର ଭିତରେ ବିଧି ମୁତାବକ ନୀତିକାନ୍ତି ପାଳିତ ହୋଇଛି | କଟକଣା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଥର କମ୍ ସଂଖ୍ୟକ ସାଧୁସନ୍ଥ ଆସିଥିବା ବେଳେ, ଭକ୍ତଙ୍କ ପାଇଁ ମେଳା ବାରଣ କରାଯାଇଛି | ଏହା ସହ ଅପେରା ମଧ୍ୟ ବନ୍ଦ କରାଯାଇଛି ।

ସୋମବାର ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇଥିବା ବେଳେ ଜାଗମରା ଗାଁ ନାଗ ମଠରୁ ଅନନ୍ତ କେଶରୀଙ୍କ ବିମାନ ସୁସଜ୍ଜିତ ହୋଇ ଆସିଥିଲା । ଅଳ୍ପ କିଛି ଭକ୍ତଙ୍କୁ ନେଇ ଅନନ୍ତ କେଶରୀଙ୍କ ବିମାନ ଯାତ୍ରା ସମ୍ପନ୍ନ ହୋଇଥିଲା ଏବଂ ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମାଆ ବାରଭୁଜଙ୍କ ପୂଜା କରାଯାଇଥିଲା । ମା’ଙ୍କ ଆଳତି ସହ ଖଣ୍ଡ ଖିରି ଲାଗି ହୋଇଥିଲା । ବିଶ୍ୱାସ ରହିଛି ଏହି ଖିରି ଖାଇବା ଦ୍ୱାରା ରୋଗ ଭଲ ହେବା ସଙ୍ଗେ ସଙ୍ଗେ ପୁଣ୍ୟପ୍ରାପ୍ତି ହୋଇଥାଏ ।ସବୁଠାରୁ ବଡ କଥା ହେଲା, ଏଠାରେ ବିଶ୍ବଶାନ୍ତି ପାଇଁ ହେଉଥିବା ହୋମ ଯଜ୍ଞରେ ମନସ୍କାମନା ପୂରଣ ଓ ଆଶୀର୍ବାଦ ଭିକ୍ଷା ପାଇଁ ଯେଉଁଠି ଶହ ଶହ ଭକ୍ତ ଓ ବାବାଙ୍କ ଆଗମନ ହୁଏ ଏବଂ ପୁରା ପରିବେଶ ମନ୍ତ୍ର ଧ୍ଵନିରେ ଗୁଞ୍ଜରିତ ହୁଏ, ଏଥର ଅଳ୍ପ ସଂଖ୍ୟକ ବାବାଙ୍କୁ ନେଇ ପୂଜାର୍ଚ୍ଚନା ହୋଇଛି । ଜନସମାଗାମ ଉପରେ ବାରଣ ଥିବାରୁ ଭକ୍ତ ନିରାଶ ହୋଇଛନ୍ତି । ମେଳାରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ବିଏମସିର ନିଦ୍ଦେର୍ଶ ଥିବା ବେଳେ ବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି । ଚଳିତ ବର୍ଷ ଖଣ୍ଡଗିରି ମୋଟ ୧୦୦ ଜଣ ବାବା ଆସିବେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି |

Related Posts