କେନ୍ଦ୍ର ଆଦିବାସୀ ବ୍ୟାପାର ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା; ଆଜି ହେବ ଶୁଣାଣୀ

ସରକାରୀ କର୍ମଚାରୀଙ୍କୁ ମାଡ ମାରି ଅଡୁଆରେ ଛନ୍ଦି ହୋଇଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ | ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ଏହି ମାମଲାର ଶୁଣାଣି ହେବ | ବାରିପଦା ଟାଉନ ଥାନାରେ ରୁଜୁ ମାମଲାରେ ସେ ଆଗୁଆ ଜାମିନ ଲୋଡି ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ର ମନ୍ତ୍ରୀ ଟୁଡୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା। ଏହି ଦୁଇ କର୍ମଚାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ବାରିପଦା ଟାଉନ ଥାନାରେ ଏ ନେଇ ଅଭିଯୋଗ ମଧ୍ୟ ହୋଇଥିଲା।ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ଆଗୁଆ ଜାମିନ ପ୍ରାର୍ଥନା କରି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟପଟରେ ମାଡ଼ ଖାଇଥିବା ଦୁଇ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଗତ ୪ ତାରିଖରେ ଉପ ନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକଙ୍କର ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ହୋଇଥିଲା । ଗତକାଲି ହାତ ଭାଙ୍ଗିଥିବା ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ୧୬୪ ଧାରାରେ ବାରିପଦାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଲିପିବଦ୍ଧ ହୋଇଛି।

Related Posts