ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ, କିନ୍ତୁ ଆମେରିକାରେ ସ୍ଥିତି ସଂଗୀନ ହୋଇପଡିଛି | କରୋନା ବ୍ୟାପିବାରେ ଆମେରିକା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ, କରୋନାର ଓମିକ୍ରନ ଭାରିଏଣ୍ଟ ଆମେରିକାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ଏଠାରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି । ବିଶ୍ୱର କୌଣସି ଦେଶରେ ଏତେ ସଂଖ୍ୟକ ଲୋକ ଗୋଟିଏ ଦିନରେ ସଂକ୍ରମିତ ହେବା ଦେଖାଯାଇ ନଥିଲା । ୪ ଦିନ ତଳେ ଆମେରିକାରେ ଦୈନିକ ସଂକ୍ରମଣ ୫ ଲକ୍ଷ ୯୦ ହଜାର ରହିଥିଲା ବେଳେ ସୋମବାରର ଦୈନିକ ସଂକ୍ରମଣ ୧୦ ଲକ୍ଷ ପାର କରିଛି । ୨୪ ଘଣ୍ଟା ମଧ୍ୟରେ ୧,୦୦୩,୦୪୩ ଜଣଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଛି ।

ସୂଚନା ଅନୁସାରେ, ଦିନକରେ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ଖବର ସରକାରୀ ତଥ୍ୟରୁ ଜଣାପଡ଼ିଛି । ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେଇପାରେ ବୋଲି କୁହାଯାଉଛି । କାରଣ ଆମେରିକାର ଅନେକ ଲୋକ ନିଜ ଘରେ ହିଁ କରୋନା ଟେଷ୍ଟ କରୁଛନ୍ତି । ରିପୋର୍ଟ ପଜିଟିଭ ଆସିଲେ ସରକାରଙ୍କୁ ନ ଜଣାଇ ଏବଂ ହସ୍ପିଟାଲକୁ ନଯାଇ ଘରେ ମେଡିସିନ ଖାଇ ସୁସ୍ଥ ହୋଇ ଯାଉଛନ୍ତି । ଫଳରେ ଏସବୁର ତଥ୍ୟ ରଖିବାରେ ସରକାର ବିଫଳ ହୋଇଛନ୍ତି ।