ସତ୍ୟ ପାଠ ; ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। କାଲି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ଆଜି ଅପରାହ୍ନ ୩ ଟା ୨୦ରେ ବୋମାଇଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବୋମାଇ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଗୁଡ଼ିକୁ ଆଗେଇ ନେବେ ବୋଲି ସେ ଆଶା କରୁଛନ୍ତି। ଇସ୍ତଫା ଦେଇଥିବା ବିଏସ ୟେଦୁୟେରପ୍ପାଙ୍କ ପରି ବୋମାଇ ମଧ୍ୟ ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ବ୍ୟକ୍ତି। ସେ ମଧ୍ୟ ୟେଦୁୟେରପ୍ପାଙ୍କ ଘନିଷ୍ଠ ଭାବେ ଜଣାଶୁଣା। ୨୦୦୮ ମସିହାରେ ଶ୍ରୀ ବୋମାଇ ଜନତା ଦଳ ଛାଡିବା ସହିତ ନିଜ ସମର୍ଥକ ୨୨ ଜନ ଜେଡିୟୁ କର୍ମକର୍ତ୍ତାଙ୍କ ସହ ବିଜେପିରେ ସାମିଲ ହୋଇଥିଲେ । ୧୯୬୦ ଜାନୁଆରି ୨୮ରେ ଜନ୍ମିତ ବାସବରାଜ ବୋମାଇଙ୍କ ପିତା ଏସଆର ବୋମାଇ ମଧ୍ୟ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଦୁଇ ଦୁଇ ଥର ବିଧାୟକ ଥିବା ବାସବରାଜ ପେଷାରେ ଜଣେ ମେକାନିକାଲ୍ ଇଞ୍ଜିନିୟର୍ ରହିବା ସହିତ ପୁଣେସ୍ଥିତି ଟାଟା ମୋଟର୍ସରେ କାର୍ଯ୍ୟ କରିସାରିଥିଲେ ।
