କଂଗ୍ରେସରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର, ୧୭/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶା କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ତଥା ପିସିସିର ପୂର୍ବତନ ମିଡ଼ିଆ ଆବାହକ ସତ୍ୟ ପ୍ରକାଶ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇ-ମେଲ୍ ଯୋଗେ ପଠାଇ ଦେଇଛନ୍ତି।

ତେବେ ପୂର୍ବରୁ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସତ୍ୟ ଆଜି ଶେଷରେ କଂଗ୍ରେସ ଛାଡିଛନ୍ତି। ନିକଟରେ ଶେଷ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ସତ୍ୟଙ୍କ ନାମ ପିସିସି ସଦସ୍ୟ ତାଲିକାରୁ ବାଦ୍ ଦିଆଯାଇଥିଲା। ଫଳରେ ଅଧ୍ୟକ୍ଷ ନିର୍ବାଚନରେ ସେ ଭୋଟ ଦେଇ ପାରିନଥିଲେ। ଏହାର ପ୍ରତିବାଦରେ ସେତେବେଳେ ଦଳର ମିଡ଼ିଆ ଆବାହକ ପଦରୁ ଇସ୍ତଫା ଦେବାସହ ଏନେଇ ପିସିସି ସଭାପତି ଓ ଏଆଇସିସି ଅବଜରଭରଙ୍କୁ ଜଣାଇଥିଲେ। ହେଲେ ଏପର୍ଯ୍ୟନ୍ତ ସେ ବିଷୟରେ କୌଣସି ଉତ୍ତର ନ ପାଇ ଆଜି କ୍ଷୋଭର ସହ ସତ୍ୟ କଂଗ୍ରେସ ଛାଡିଛନ୍ତି।

ନିଜ ଇସ୍ତଫା ପତ୍ରରେ ମଧ୍ୟ ଏକଥା ସେ ଉଲ୍ଲେଖ କରିଛନ୍ତି। ଶରତଙ୍କୁ ଚିଠି ଲେଖି ସତ୍ୟ କହିଛନ୍ତି ଯେ, ତାଙ୍କୁ ପିସିସି ସଦସ୍ୟ ତାଲିକାରୁ ବାଦ୍ ଦେବା ସଂପୂର୍ଣ୍ଣ ଅସାମ୍ବିଧାନିକ ଥିଲା। ତାଙ୍କୁ କାହିଁକି ଏହି ତାଲିକାରୁ ବାଦ୍ ଦିଆଗଲା ଏହାର କାରଣ ମଧ୍ୟ ଏଯାଏଁ ତାଙ୍କୁ କୁହାଗଲା ନାହିଁ। ଅନ୍ୟପଟେ ରାଜ୍ୟରେ ଶାସକ ବିଜେଡ଼ିର ଆଦିବାସୀ, ଦଳିତ, ଚାଷୀ, ଓବିସି, ଯୁବ ଓ ମହିଳା ବିରୋଧୀ ଆଭିମୁଖ୍ୟ ନେଇ କଂଗ୍ରେସ ବିରୋଧୀ ଦଳରେ ଥାଇ ବି କୌଣସି ସ୍ଵର ଉଠାଉ ନାହିଁ। ଦଳର ପରିସ୍ଥିତି ଏବେ ଏଭଳି ହେଲାଣି ଯେ, ରାଜ୍ୟର ଆମ ସହ କିଏ ଅଛନ୍ତି? ବୋଲି ଦଳର କର୍ମୀ ପ୍ରଶ୍ନ କଲେଣି। ନା ଆମ ସହ ଚାଷୀ ଅଛନ୍ତି, ନା ଯୁବକ ଅଛନ୍ତି, ନା ମହିଳା ଅଛନ୍ତି, ନା ମଧ୍ୟବିତ୍ତ ଅଛନ୍ତି ତେବେ ଆମେ କାହାକୁ ନେଇ ଆଗକୁ ବଢିବା ବୋଲି କର୍ମୀ ପ୍ରଶ୍ନ କରୁଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ପିସିସି ସଭାପତିଙ୍କ ୨୦୨୪ରେ ‘୯ ରୁ ୯୦’ ଆହ୍ବାନ କେବଳ ଏକ ସ୍ଲୋଗାନ ହୋଇ ରହିଯିବ ବୋଲି ସତ୍ୟ ନିଜ ଇସ୍ତଫା ପତ୍ରରେ କହିଛନ୍ତି।

ଏହାସହିତ ସତ୍ୟ କହିଛନ୍ତି ଯେ, ଆଜିର ଦିନରେ ଯୁବକ ମାନଙ୍କୁ ରାଜ୍ୟ କଂଗ୍ରେସ ଆଗକୁ ବଢ଼ିବାକୁ ସୁଯୋଗ ଦେଉନାହିଁ। ସେହିଭଳି ବୁଦ୍ଧିଜୀବୀ ମାନେ ମଧ୍ୟ ଦଳରୁ ମୁହଁ ଫେରେଇଲେଣି। ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସକୁ ପିସିସି ସାଙ୍ଗରେ ନେଇ କାର୍ଯ୍ୟ କରିବା କଥା, ହେଲେ ଏଭଳି ହେଉଥିବାର ଆଦୌ ଜଣାପଡୁନାହିଁ। ଦଳ ଏବେ ଧୀରେ ଧୀରେ ନିମ୍ନଗାମୀ ହେଉଥିବା ବେଳେ ପିସିସି ସଭାପତି ଏନେଇ କୌଣସି ପଦକ୍ଷେପ ନେବାଭଳି ମନେ ହେଉନାହିଁ। ଏଭଳି ନିଜର କ୍ଷୋଭ ଜାହିର କରି ଦଳରୁ ଇସ୍ତଫା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ।

ସୂଚନାଯୋଗ୍ୟ ଯେ, ନିଜ ନିର୍ଭୀକ ସାମ୍ବାଦିକତା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ସତ୍ୟ ନାୟକ ଅଗଷ୍ଟ ୨୦୧୭ରେ କଂଗ୍ରେସରେ ଯୋଗଦେଇଥିଲେ । ସେତେବେଳ ତାଙ୍କୁ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଥିଲା। ପରେ ୨୦୧୯ ନିର୍ବାଚନରେ ସତ୍ୟ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ। ପରେ ସେ ଓଡ଼ିଶା ପିସିସିର ମିଡ଼ିଆ ଆବାହକ ଭାବେ ମଧ୍ୟ ଦକ୍ଷତାର ସହ ନିଜର କାର୍ଯ୍ୟ ତୁଲାଇଛନ୍ତି। ତେବେ ଦୀର୍ଘଦିନ ଧରି ଦଳରେ ସତ୍ୟଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଶେଷରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Related Posts