ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ଆସନ୍ତାକାଲି ସକାଳ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ହେବ। ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ କରିବେ ଦର୍ଶନ। ଆସନ୍ତାକାଲି, ଅକ୍ଟୋବର ୧୮ ତାରିଖ ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନୂଆ ଅଭିଷେକ ହଲ୍ରେ ସେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।
