କୋଷାଗୁମୁଡା, (ସତ୍ୟପାଠବ୍ୟୁରୋ ): ଇନ୍ଦ୍ରାବତୀ ନଦୀ କୂଳିଆ ଗଁାକୁ ସର୍ତକ ଘଣ୍ଟି। ନଦୀ ଏବେ କୂଳ ଲଂଘୁଥିବାବେଳେ ଦିନକୁ ଦିନ ଗାଁ ଆଡକୁ ମାଡି ଆସୁଛି। କେତେବେଳେ ତାର କରାଳ ରୂପ ଦେଖାଇବ କିଛି କହି େହବ ନାହିଁ। ଏହାର ପ୍ରଭାବରେ ନଈ କୁଳିଆ ଗଁା ନିଶ୍ଚିହ୍ନ ହୋଇଯିବ ସେନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାର ଘାଟୱାଳୀଗୁଡା ଗାଁ ଲୋକେ। ଯେଉଁ ଇନ୍ଦ୍ରାବତୀ ନଦୀ ଦିନେ ସେମାନଙ୍କର ସୁଖ ଦୁଃଖର ସାଥୀ ଥିଲା, ଆଜି ସେ କାୟା ବିସ୍ତାର କରିଥିବାବେଳେ ଗାଁକୁ ଗ୍ରାସ କରିବାକୁ ବସିଛି। ଇନ୍ଦ୍ରାବତୀର ଏ ରୂପ ଦେଖି ଗାଁ ଲୋକେ ଭିଟାମାଟି ଛାଡ଼ି ଚାଲିଯିବାକୁ ଭାବୁଛନ୍ତି। ହେଲେ ପିଲା-ଛୁଆ ଓ ପରିବାରକୁ ନେଇ ଯିବେ କୁଆଡେ ? ରହିବେ କେଉଁଠି ସେ େନଇ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ଅାଉ ଯେଉଁ ମାନେ ଭିଟାମାଟି େଲାଭରେ ରହିଛନ୍ତି ସେମାନେ ପ୍ରଶାସନର ସହାୟତା ପାଇଁ ଚାତକ ପରି ଅପେକ୍ଷା କରି ରହିଛନ୍ତି। ଏପରିକି ଗଁା େଲାକେ ନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ କରୁ ନଥିବାରୁ ଗଁା ଲୋକେ ଭୟଭୀତ ଅବସ୍ଥାରେ ବସବାସ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, କୋଷାଗୁମୁଡା ବ୍ଲକର ୬ ପଞ୍ଚାୟତ ଚିର୍ମା, କେ. ସେମଳା, ସାନଆମଡା, ବାମୁଣୀ, ବିଞ୍ଜିଲି,କିଆପାଲି ଦେଇ ପ୍ରବାହିତ ହୋଇଛି ଇନ୍ଦ୍ରାବତୀ ନଦୀ। ନଦୀ କୂଳରେ ୧୦ରୁ ଊର୍ଦ୍ଧ୍ବ ଗାଁ ଦୁଗଲାହାଣ୍ଡି, ଖଣ୍ଡିବାଗଦରୀ, ଭଟାଗୁଡା, ଜାଗିନୀଗୁଡା, କଣ୍ଟାସରଗୁଡା, ଘାଟୱାଲୀଗୁଡା, ଆଳୁପଦାର, ଘାଟଚୁରା,ପାତିଆଗୁଡା, ଘାଟବାସୁଲି, ଘାଟକୁସୁମୀ ରହିଛି। ପ୍ରତିବର୍ଷ ବନ୍ୟା କାରଣରୁ ନଦୀର ଗତିପଥ ବଦଳୁଥିବା ବେଳେ ମାଟି ଧସି କୂଳ ଖାଇବାରେ ଲାଗିଛି। ବିଶେଷ କରି ଚିର୍ମା ଓ କେ. ସେମଳା ପଞ୍ଚାୟତର ଖଣ୍ଡିବାଗଦରୀ, ଦୁଗଲାହାଣ୍ଡି, ଜାଗିନୀଗୁଡା ଓ ଘାଟୱାଲୀଗୁଡା ପ୍ରତି ବଡ଼ ବିପଦ ଘନଉଛି। ଏପରିକି ଇନ୍ଦ୍ରାବତୀ ନଦୀରୁ ବହୁ ଦୂରରେ ଥିବା ଘାଟୱାଲୀଗୁଡା ବର୍ତ୍ତମାନ କୂଳ ଖାଇ ଖାଇ ନଦୀ ଗାଁର ନିକଟତର ହେଲାଣି। ଫଳରେ ବର୍ଷା ହେଲେ ନଦୀର ଗତିପଥ ବଦଳୁ ଥିବାରୁ ଭୟଭୀତ ଅବସ୍ଥାରେ କାଳତିପାତ କରୁଛନ୍ତି ଏଠାକାର ଲୋକେ। ନଦୀ ବନ୍ଧ ନିର୍ମାଣ ନ ହେଲେ ଆଉ କିଛି ବର୍ଷ ମଧ୍ୟରେ ଏହି ଗାଁ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ଲୀନ ହୋଇଯିବ। ଗାଁର ସୁରକ୍ଷା ପାଇଁ ନଦୀ କୂଳରେ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ନେତା, ମନ୍ତ୍ରୀ,ସାଂସଦ,ବିଧାୟକ ଠାରୁ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ବହୁ ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମର ଗୁରୁବନ୍ଧୁ ପୂଜାରୀ, କୃତିବାସ ମାଝୀ, ଚିଙ୍ଗୁଡୁ ପୂଜାରୀ, ରତନ ସମରଥ, ମହେନ୍ଦ୍ର ପୂଜାରୀ, ତୁଳାରାମ ପୂଜାରୀ, ସନସାଏ ହରିଜନ, ଚୈତନ ସମରଥ, ଗୁପ୍ତ ମାଝୀ, ଚନ୍ଦ୍ର ମାଝୀ, ସମାରୁ ଭତ୍ରା ପ୍ରମୁଖ କହିଛନ୍ତି। ୫ ବର୍ଷ ପୂର୍ବେ ଖଣ୍ଡିବାଗଦରୀ, ଦୁଗଲାହାଣ୍ଡି, ଜାଗନିଗୁଡା ଓ ଘାଟୱାଳୀଗୁଡା ନଦୀ ହୁଡାରେ ପଥର ପ୍ୟାକିଙ୍ଗ କରାଯାଇଥିଲା। ଅତି ନିନ୍ନମାନର କାମ ଯୋଗୁ ତାହା ନଦୀଗର୍ଭରେ ଲୀନ ହୋଇଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ଗାଁ ନଦୀଗର୍ଭରେ ଲୀନ ହେବା ପୂର୍ବରୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବିକରିଛନ୍ତି। କୋଡିଙ୍ଗା ତହସିଲଦାର ତୁଳା ମୁଦୁଲି କହିଛନ୍ତି ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ଲାଗି ପ୍ରସ୍ତାବ ଦିଆଯାଇଛି।
