କୋରାପୁଟ(ସତ୍ୟପାଠ ବ୍ୟୁରୋ): କୋଟିଆକୁ ନେଇ ତୁଟୁନି ବିବାଦ। ଓଡ଼ିଶାକୁ ପ୍ରତିଦିନ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର। କେବେ ସ୍ବାସ୍ଥ୍ୟ ଶିବିର କରି ଲୋକଙ୍କୁ ନିଜର କରିବାକୁ ଚେଷ୍ଟା କରୁଛି ତ କେତେବେଳେ ଖାଉଟି ସାମଗ୍ରୀ ବଣ୍ଟନ କରି। କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟିବା ନାଁ ନେଉ ନାହିଁ। ଓଡ଼ିଶା ସରକାର କୋଟିଆ ପାଇଁ ଯେତେ ସଜାଗ ରହିଲେ ବି ଆନ୍ଧ୍ର ପିଛା ଛାଡୁ ନାହିଁ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା କୋଟିଆ ପଞ୍ଚାୟତରେ ପୁଣିଥରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ସାଲୁର ତହସିଲଦାର ସୁରେଶ ବାବୁଙ୍କ ସମେତ ଏକ ଅଧିକାରୀ ଦଳ କୋଟିଆର ଉପର ସେମ୍ବି, ତଳ ସେମ୍ବି ଓ ନେରେଡିୱାଲସା ଗ୍ରାମକୁ ଗସ୍ତ କରି ଜନଗଣନା କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଅଧିକାରୀମାନେ ଘରେ ଘରେ ବୁଲି ଜନଗଣନା ଫର୍ମ ସଂଗ୍ରହ କରିବା ସହ ଡିଜିଟାଇଜେସନ୍ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିଥିବା କୁହାଯାଉଛି। ସେମାନଙ୍କ ସହ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିଯୁକ୍ତ କିଛି ଜନପ୍ରତିନିଧି ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ଜନଗଣନା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପୁଣି ଏଭଳି ଗସ୍ତ ଓ ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ନେଇ ସୀମା ବିବାଦ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମ୍ମିଡି ସନ୍ଧ୍ୟା ରାଣୀ ନେରେଡିୱାଲସା ଗ୍ରାମକୁ ଗସ୍ତ କରି ଏକ ରାସ୍ତାର ଉଦ୍‌ଘାଟନ କରିବା ସହ ସଭାରେ ଯୋଗଦେଇଥିଲେ। ଏହା ପରେ ପୁଣି ଆନ୍ଧ୍ର ଅଧିକାରୀଙ୍କ ଗସ୍ତ ସୀମାନ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।