ସତ୍ୟପାଠ (ବ୍ୟୁରୋ) ଭୁବନେଶ୍ୱର, 10/112026:
ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣା Wi-Fi ସୁବିଧା ପାଇଁ ₹୩୯୩ କୋଟି ୬୨ ଲକ୍ଷ ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଥିବା ଖବର।ସରକାର କହୁଛନ୍ତି, ଏହା ଡିଜିଟାଲ୍ ଶିକ୍ଷାକୁ ଆଗକୁ ନେବ।
ସତ୍ୟପାଠ ର ପ୍ରଶ୍ନ—୪୦୦ କୋଟି ପାଖାପାଖି ଟଙ୍କା ଖର୍ଚ୍ଚ କରିଦେଲେ କ’ଣ ଡିଜିଟାଲ୍ ଶିକ୍ଷାର ସଫଳତା ମିଳିଯିବ? ପ୍ରଥମେ ସରକାର କୁହନ୍ତୁ, ଏହି ଟଙ୍କା କିପରି ଖର୍ଚ୍ଚ ହେବ?
କେତୋଟି କଲେଜ ଓ ବିଶ୍ୱବିଦ୍ୟାଳୟ ଏହି ଯୋଜନାରେ ସାମିଲ ହେବେ? ପ୍ରତି କ୍ୟାମ୍ପସ ପାଇଁ କେତେ ଟଙ୍କା ବରାଦ ହୋଇଛି? କେତେ ଟଙ୍କାର ରାଉଟର, ଫାଇବର କେବୁଲ୍ ଓ ଅନ୍ୟାନ୍ୟ ଉପକରଣ କିଣାଯିବ?
ଆଉ କେତେ ଟଙ୍କା ଯିବ ଇଣ୍ଟରନେଟ୍ ସେବା ଓ ରକ୍ଷଣାବେକ୍ଷଣରେ?
ଦ୍ୱିତୀୟ ପ୍ରଶ୍ନ—ଏହି ବିଶାଳ ପ୍ରକଳ୍ପର ଠିକା କାହାକୁ ମିଳିବ?
ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ ତ? କେତୋଟି କମ୍ପାନୀ ପ୍ରତିଯୋଗିତାରେ ଭାଗ ନେବେ? କାମ ପାଇଥିବା କମ୍ପାନୀର ପୂର୍ବ ଅଭିଜ୍ଞତା ଓ ଉପକରଣର ଦର ଯାଞ୍ଚ ହେବ ତ?ତୃତୀୟ ଓ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ—କାଗଜରେ Wi-Fi ଚାଲିବ, ନା କଲେଜରେ ଇଣ୍ଟରନେଟ୍ ଚାଲିବ? କ୍ୟାମ୍ପସରେ ରାଉଟର ଲଗାଇଦେବା ଓ ଛାତ୍ରଛାତ୍ରୀଙ୍କୁ ଭଲ ଇଣ୍ଟରନେଟ୍ ସେବା ଯୋଗାଇବା ଦୁଇଟି ଅଲଗା କଥା।
କଲେଜର ଲାଇବ୍ରେରୀ, ଶ୍ରେଣୀଗୃହ, ହଷ୍ଟେଲରେ ଇଣ୍ଟରନେଟ୍ ପହଞ୍ଚିବ କି? ଗୋଟିଏ ସମୟରେ ହଜାର ହଜାର ଛାତ୍ରଛାତ୍ରୀ ଲଗ୍ଇନ୍ କଲେ ନେଟୱର୍କ କାମ କରିବ କି?
ଏହାର ଗ୍ୟାରେଣ୍ଟି କିଏ ଦେବ? ଓଡ଼ିଶାର ଅନେକ ସରକାରୀ କଲେଜରେ ଭିତ୍ତିଭୂମି, ଶିକ୍ଷକ ଓ ଅନ୍ୟାନ୍ୟ ସୁବିଧାର ଅଭାବ ନେଇ ଅଭିଯୋଗ ରହିଛି।
ସେହି କଲେଜଗୁଡ଼ିକରେ Wi-Fi ପାଇଁ ବିଦ୍ୟୁତ୍, ଫାଇବର ସଂଯୋଗ, ଟେକ୍ନିକାଲ୍ କର୍ମଚାରୀ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଅଛି ତ?
ଚତୁର୍ଥ ପ୍ରଶ୍ନ—ଅଡିଟ୍ କିଏ କରିବ? ସରକାର କାମ ସରିଗଲା ବୋଲି କହିଲେ ଯଥେଷ୍ଟ ନୁହେଁ। ପ୍ରତ୍ୟେକ କଲେଜରେ ସ୍ୱାଧୀନ ଟେକ୍ନିକାଲ୍ ଅଡିଟ୍ ହେଉ। ପ୍ରକୃତ ଇଣ୍ଟରନେଟ୍ ସ୍ପିଡ୍, ସେବା ବନ୍ଦ ରହିବାର ସମୟ ଏବଂ କେତେ ଛାତ୍ରଛାତ୍ରୀ ସେବା ପାଉଛନ୍ତି, ତାହାର ରିପୋର୍ଟ ସାର୍ବଜନୀନ ହେଉ |
ଆଉ ସବୁଠାରୁ ବଡ଼ କଥା—ଏହି ପ୍ରକଳ୍ପର ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉ।କାରଣ Wi-Fiର ପ୍ରକୃତ ଉପଭୋକ୍ତା ହେଉଛନ୍ତି ଛାତ୍ରଛାତ୍ରୀ, ଠିକାଦାର କିମ୍ବା ଅଫିସର ନୁହନ୍ତି।
₹୩୯୩.୬୨ କୋଟି ଟଙ୍କାର ଯୋଜନା ପାଇଁ କଲେଜୱାରୀ ବଜେଟ୍, ଟେଣ୍ଡର, କାର୍ଯ୍ୟାଦେଶ ଓ ସେବାର ମାନଦଣ୍ଡ ସାର୍ବଜନୀନ କରିବେ କି?
ନା କେବଳ ଉଦ୍ଘାଟନ, ବିଜ୍ଞାପନ ଓ ସଫଳତାର ଘୋଷଣାରେ ସୀମିତ ରହିବ ଏହି ଯୋଜନା?
ମନେ ରଖନ୍ତୁ—୪୦୦ କୋଟିର ବିଲ୍ ହେଉଛି ଖର୍ଚ୍ଚର ପ୍ରମାଣ, ସଫଳତାର ପ୍ରମାଣ ନୁହେଁ।
ସଫଳତାର ପ୍ରମାଣ ମିଳିବ ସେତେବେଳେ, ଯେତେବେଳେ ରାୟଗଡ଼ା, ମାଲକାନଗିରି, କୋରାପୁଟଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତ୍ୟେକ ଅନ୍ତର୍ଭୁକ୍ତ କ୍ୟାମ୍ପସର ଛାତ୍ରଛାତ୍ରୀ ପ୍ରକୃତରେ ଭଲ ଇଣ୍ଟରନେଟ୍ ସେବା ପାଇବେ।
ଡିଜିଟାଲ୍ ଓଡ଼ିଶାର ଅର୍ଥ କେବଳ ଡିଜିଟାଲ୍ ଟେଣ୍ଡର ନୁହେଁ। ଡିଜିଟାଲ୍ ଅଧିକାର ଓ ଡିଜିଟାଲ୍ ଜବାବଦେହିତା ମଧ୍ୟ।
