ରାଉରକେଲା(ସତ୍ୟପାଠ ବ୍ୟୁରୋ ): ସାମାନ୍ୟ କଥାକୁ ନେଇ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ସ୍ବାମୀ। ଖାଇବା ଦେବାକୁ ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ସ୍ୱାମୀ l ସ୍ତ୍ରୀକୁ ଭଙ୍ଗା ଟାଇଲରେ ଛେଚି ହତ୍ୟା କରିଛି l ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ l ଗତକାଲି ରାତିରେ ନେତାଜୀନଗର ପାହାଡ଼ ଉପରେ ବସ୍ତିରେ ଏଭଳି ଅଭାବନୀୟ ଘଟିଥିଲା। ହତ୍ୟାକାଣ୍ଡ ପରେ ସ୍ୱାମୀ ସଞ୍ଜୟ ଘରୁ ଫେରାର ହୋଇଯାଇଛି l ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ମିଳିଥିବା ସୂଚନା ମୁତାବକ, ଝାରଖଣ୍ଡ ଅଂଚଳର ସଞ୍ଜୟ ଓ ତାଙ୍କ ସ୍ତ୍ରୀ ନେତାଜୀନଗର ପାହାଡ଼ ଉପର ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ l ସଞ୍ଜୟ ରାଉରକେଲାରେ ଦିନ ମଜୁରିଆ ଭାବେ କାମ କରନ୍ତି। ପ୍ରତିଦିନ ପରି ଗତକାଲି ରାତିରେ ସଞ୍ଜୟ ନିଶା ସେବନ କରି ଘରକୁ ଫେରିଥିଲେ l ସ୍ତ୍ରୀକୁ ଖାଇବାକୁ ମାଗିଥିଲେ l ଖାଇବାଦେବାରୁ ବିଳମ୍ବ ହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ସଞ୍ଜୟ ଅଧିକ ରାଗିଯାଇ ଘରେ ପଡ଼ିଥିବା ଭଙ୍ଗା ଟାଇଲ ଆଣି ସୁନିତାକୁ ଆକ୍ରମଣ କରିଥିଲେ l ସୁନିତା ତଳେ ପଡ଼ିଯିବା ପରେ ସଞ୍ଜୟ ଟାଇଲରେ ଛେଚି ସୁନିତାକୁ ହତ୍ୟା କରିଥିଲା l