ଧର୍ମଶାଳା,  (ସତ୍ୟପାଠବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ତାଙ୍କର ଏକାଧିକ ବହୁତଳ କୋଠା ଓ ୧୯ଟି ପ୍ଲଟ୍ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ସୁନା ଓ ହୀରା ଅଳଙ୍କାର ମିଳିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜୟଦେବ ଜେନାଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ୩ ମହଲା କୋଠା ଥିବା ବେଳେ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଦୁଇଟି ବହୁତଳ କୋଠା ଠାବ କରାଯାଇଛି। ଏହାବ୍ୟତୀତ ଭୁବନେଶ୍ୱର, ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ତାଙ୍କ ନାମରେ ୧୯ଟି ପ୍ଲଟ୍ ଥିବା ଜଣାପଡ଼ିଛି। ତାଙ୍କ ଘରୁ ସୁନା ଓ ହୀରା ଅଳଙ୍କାର ସହ ରୂପା ଗ୍ଲାସ୍ ମଧ୍ୟ ମିଳିଥିବା ସୂଚନା ରହିଛି। ତେବେ ଜବତ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ମୋଟ ମୂଲ୍ୟ ଭିଜିଲାନ୍ସର ଯାଞ୍ଚ ପରେ ସ୍ପଷ୍ଟ ହେବ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଛି। ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଯାଞ୍ଚ କରୁଛନ୍ତି। ଭିଜିଲାନ୍ସ ଟିମ୍ ଗଞ୍ଜାମ ଜିଲ୍ଲାର ବୁରୁଝରୀସ୍ଥିତ ଆତ୍ମୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରିର ଜନନୀ ବିହାରସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲାର ଜାରକାସ୍ଥିତ ଭଡ଼ାଘର ଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରିଛି। ଯାଞ୍ଚ ଶେଷ ହେବା ପରେ ତାଙ୍କର ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ। ଏହାବ୍ୟତୀତ ଜୟଦେବ ଜେନାଙ୍କ ପୈତୃକ ଘର, ଶ୍ୱଶୁର ଘର, ସମ୍ପର୍କୀୟଙ୍କ ଘର ଏବଂ ଏକ କାଜୁ ଫ୍ୟାକ୍ଟ୍ରିରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସି କରୁଛି । ଏହି ସମସ୍ତ ସ୍ଥାନରେ ଥିବା ସମ୍ପତ୍ତି, ଆର୍ଥିକ କାରବାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଯାଞ୍ଚ କରାଯାଉଥିବା ସମ୍ଭାବନା ରହିଛି ।