କଟକ(ସତ୍ୟପାଠ ବ୍ୟୁରୋ): ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା । କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ବାରମ୍ବାର ସୁଯୋଗ ସତ୍ତ୍ୱେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନହେବା ଏବଂ ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । ୨୦୨୫ ସେପ୍ଟେମ୍ବର ୨୫ର ଆଦେଶକୁ ଜାଣିଶୁଣି ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ, କାହିଁକି ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବ, ସେନେଇ ଜବାବ ମାଗିଛନ୍ତି କୋର୍ଟ। ଅବସର ନେଇସାରିଥିବାରୁ ପୋଲିସ ଆଇଜି, ବ୍ୟକ୍ତିଗତ ଭାବେ ତାଙ୍କୁ ଏହି ନୋଟିସ୍ ପ୍ରଦାନ କରିବେ। ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ପୂର୍ବତନ ଡିଜିପି ଜବାବ ରଖିବେ। ତେବେ ଅଗଷ୍ଟ ୧୬ରେ ଅବସର ନେଇଥିଲେ ମଧ୍ୟ ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ସେପଟେ ଆବେଦନକାରିଣୀ ସାଗରିକା ପରିଡ଼ାଙ୍କୁ ୪ ସପ୍ତାହ ମଧ୍ୟରେ ଚାକିରିରେ ପୁନଃସ୍ଥାପିତ କରିବା ସମ୍ପର୍କିତ ପୂର୍ବ ଆଦେଶ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ କାର୍ଯ୍ୟକାରୀରେ ଅବହେଳା ହେଲେ ଭାରପ୍ରାପ୍ତ ଡିଜିପି ଓ ଆଇଜି, ପର୍ସୋନେଲଙ୍କୁ ସେପ୍ଟେମ୍ବର ୨୮ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି କହିଛନ୍ତି ହାଇକୋର୍ଟ ।