ପୁରୀ,: ଶୁକ୍ରବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର ରାଖୀ ପୂର୍ଣ୍ଣମୀ ନୀତି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କୁ ପିନ୍ଧାଯିବ ବିଶାଳକାୟ ରାଖୀ। ଏଥିପାଇଁ ପାଟରା ବିଶୋୟୀ ସେବାୟତଙ୍କ ପକ୍ଷରୁ ୪ଟି ରାଖୀ ସହ ୪ଟି ଗୁଆପାଳ ପ୍ରସ୍ତୁତି କରାଯାଇଛି। ଗତ ଆମାବାସ୍ୟା ପରଠାରୁ ଏହି ସ୍ବତନ୍ତ୍ର ବିଶାଳକାୟ ରାଖୀର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଶୋୟୀ ସେବାୟତଙ୍କୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥିଲା। ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗର ସମନ୍ବୟରେ ଏହି ରାଖୀ ପ୍ରସ୍ତୁତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବିଶେଷ ନୀତିକାନ୍ତି ସମ୍ପନ୍ନ ହେବ। ଭାଇ-ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ଏହି ପର୍ବକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି।