ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ରାଜ୍ୟପାଳ

ପାଣାଜୀ: ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ । ସେ କହିଛନ୍ତି ଯେ ପ୍ରମୋଦ ସାୱନ୍ତଙ୍କ ସରକାର ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଏକ ଗଣମାଧ୍ୟମ ଚାନେଲକୁ ସାକ୍ଷାତକାର ଦେଇ ଶ୍ରୀ ମଲିକ ଏଭଳି ବିସ୍ଫୋରକ ତଥ୍ୟ ରଖିଛନ୍ତି । ସମ୍ପ୍ରତି ମେଘାଳୟ ରାଜ୍ୟପାଳ ଥିବା ସତ୍ୟପାଲ ମଲିକ କହିଛନ୍ତି, ସେ ଦୁର୍ନୀତି ପଦାକୁ ଆଣିବା ପରେ ତାଙ୍କୁ ସେଠାରୁ ବିଦା କରାଯାଇଥିଲା । ଯେଉଁମାନେ ଦୁର୍ନୀତିରେ ସଂପୃକ୍ତ ରହିଛନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଯେ ସେଭଳି କିଛି ହୋଇନାହିଁ । ଅନ୍ୟପକ୍ଷରେ ଶ୍ରୀ ମଲିକଙ୍କ ଏଭଳି ଅଭିଯୋଗ ପରେ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରମୋଦ ସାୱନ୍ତଙ୍କର ବହିଷ୍କାର ଦାବି କରିଛି । ୭୨ ଘଣ୍ଟା ମଧ୍ୟରେ ଶ୍ରୀ ସାୱନ୍ତ ଦେବା ଉଚିତ ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।

ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଟିଏମସି ଦାବି କରିଛି । ଶ୍ରୀ ମଲିକଙ୍କର ଅଭିଯୋଗ ପରେ ପ୍ରତିକ୍ରିୟା ରଖି ଗୋଆ ଭାଜପା ସଭାପତି ସଦାନନ୍ଦ ସେଟ ତାନାଭାଡେ କହିଛନ୍ତି, ଶ୍ରୀ ମଲିକ ଭୁଲ କଥା କହୁଛନ୍ତି । ସେମାନେ ଏ ସମ୍ପର୍କରେ କେନ୍ଦ୍ର ସହିତ ଆଲୋଚନା କରିବେ । ତେବେ ଗୋଆର ଭାଜପା ସରକାରଙ୍କୁ ତୀବ୍ର ସମାଲୋଚନା କରି ରାଜ୍ୟସଭାରେ ଟିଏମସି ସଂସଦୀୟ ମଣ୍ଡଳୀର ନେତା ଡେରେକ ଓ ବ୍ରିଏନ କହିଛନ୍ତି, ଭାଜପା ପକ୍ଷରୁ ନିଯୁକ୍ତ ଜଣେ ରାଜ୍ୟପାଳ ଏଭଳି ଅଭିଯୋଗ ଆଣିବା କିଛି ଛୋଟ କଥା ନୁହେଁ । ସୂଚନାଯୋଗ୍ୟ ଯେ ଗୋଆରେ ଭାଜପା ସରକାରଙ୍କ ଦ୍ୱାରା କୁଶାସନ ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ଟିଏମସି ପକ୍ଷରୁ ଏକ ଅଭିଯୋଗ ଫର୍ଦ୍ଦ ପ୍ରକାଶ କରାଯିବା ଦିନ ହିଁ ଶ୍ରୀ ମଲିକ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଟିଏମସି ପକ୍ଷରୁ କୁହାଯାଇଛି ଯେ ଏହା ଯେଉଁ ଅଭିଯୋଗ କରିଆସୁଥିଲା, ଭାଜପାର ଜଣେ ରାଜ୍ୟପାଳ ତାହାକୁ ପ୍ରମାଣସିଦ୍ଧ କରିଦେଇଛନ୍ତି ।

Related Posts