କୋରାପୁଟ, (ସତ୍ୟପାଠବ୍ୟୁରୋ ): ଗୋଟିଏ ରାତିରେ ଦୁଇଟି ଘରୁ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ସହରର ମେଘରାଜ ଆପାର୍ଟମେଣ୍ଟରେ ଏଭଳି ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଟି ଘରେ ପଶି ଲୁଟପାଟ କରିଛନ୍ତି। ସୂଚନା ଅନୁସାରେ, ଗୋଟିଏ ଘରର ସଦସ୍ୟମାନେ ବିଶାଖାପାଟଣା ଯାଇଥିବାବେଳେ ଘରେ ପଶି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ଲୁଟ୍‌ପାଟ କରିଛନ୍ତି। ଆଲମିରାରୁ ପ୍ରାୟ ଏକ ଲକ୍ଷ ଟଙ୍କା ନଗଦ ସହ ୨୦ ଭରି ସୁନା ଚୋରି ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଏକ ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶିଥିଲେ ଚୋର। ସେଠାରୁ ପ୍ରାୟ ୨୫ ଭରି ସୁନା ଲୁଟ୍ ହୋଇଛି। ଦୁଇଟି ଘରୁ ମୋଟ ୪୫ ଭରି ସୁନା ଚୋରି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଘଟଣା ପରେ ପରିବାର ଲୋକେ କୋରାପୁଟ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।