ଚର୍ଚାରେ ସୁନ୍ଦରଗଡ ନିର୍ବାଚନ: ମୌଖିକ ଓ ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ

ଚର୍ଚାରେ ସୁନ୍ଦରଗଡ଼ ଜିଲ୍ଲା ପଂଚାୟତ ନିର୍ବାଚନ | ନିର୍ବାଚନ ପୂର୍ବରୁ ପରୀକ୍ଷା ଦେଇଛନ୍ତି ପ୍ରାଥୀ | କୁତ୍ରା ବ୍ଲକ୍ ମାଲୁପଡ଼ା ଗାଁରେ ସରପଞ୍ଚ ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେଇଥିବା ଖବର ଗତ ସପ୍ତାହରେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଜିଲ୍ଲାରୁ ଆଉ ଏକ ଏମିତି ଖବର ଆସିଛି। ହେମଗିର ବ୍ଲକ୍ ମୁଣ୍ଡେରକ୍ଷେତ ପଞ୍ଚାୟତରେ ଜଣେ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଦେଇଛନ୍ତି।

ମୁଣ୍ଡେରକ୍ଷେତ ପଞ୍ଚାୟତର ‘ଓଁ ଶିବାୟ କ୍ଲବ୍‘ ଜନମଞ୍ଚ ଆୟୋଜନ କରି ନିର୍ବାଚନ ଲଢ଼ୁଥିବା ପଞ୍ଚାୟତର ସମସ୍ତ ୫ ସରପଞ୍ଚ ଓ ୯ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଡାକିଥିଲା। ତେବେ ଏଥିରେ କେବଳ ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ। ସରପଞ୍ଚ ପ୍ରାର୍ଥୀ ସନ୍ନ୍ୟାସୀ ବାଗ, ସମିତିସଭ୍ୟ ପ୍ରାର୍ଥୀ ବୀରେନ୍ଦ୍ର ପଧାନ, ହତେଶ୍ୱର ପ୍ରଧାନ, ଜୟନ୍ତ ପଧାନ, ରୋହିତ ଜୟପୂରିଆ ଓ ନିତ୍ୟାନନ୍ଦ ଖମାରୀଙ୍କୁ ପ୍ରଥମେ ଭୋଟର ମାନେ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ପ୍ରାର୍ଥୀମାନେ ସେଗୁଡ଼ିକର ଉତ୍ତର ଦେଇଥିଲେ। ଏହା ପରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଟାଣରେ ବସି ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ।

ଲିଖିତ ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା- ସମିତି ସଭ୍ୟର କାର୍ଯ୍ୟ କ’ଣ ? ସମିତି ସଭ୍ୟ ଭାବେ ଜିତିଲେ ୫ ବର୍ଷ ପଞ୍ଚାୟତ ପାଇଁ କ’ଣ କରିବେ? ଆଦର୍ଶ ପଞ୍ଚାୟତର ରୂପରେଖ କ’ଣ? କେଉଁଥିପାଇଁ ଆପଣ ଏହି ପଦବୀରେ ଛିଡ଼ା ହେଲେ ? ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକଳାପ ସମ୍ପର୍କରେ କୁହନ୍ତୁ। ମୁଣ୍ଡେରକ୍ଷେତ ପଞ୍ଚାୟତ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାର ଲାଭ ପାଉଛି କି? ଯଦି ହଁ, ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ କରନ୍ତୁ। ପ୍ରାର୍ଥୀମାନେ ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ।

Related Posts