କଟକ(ସତ୍ୟପାଠବ୍ୟୁରୋ): ସରପଞ୍ଚ ଚାମେଲି ଓଝାଙ୍କ ପିଚ୍ଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛନ୍ତି ସେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବ, ମାତ୍ର ଅଦାଲତଙ୍କ ଅନୁମତି ବିନା ଭୋଟ୍ର ଫଳାଫଳ ପ୍ରକାଶ ପାଇବ ନାହିଁ । ଅନାସ୍ଥାକୁ ବିରୋଧ କରି ଚାମେଲି ଓଝାଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି ।
ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ମାମଲାର ଶୁଣାଣି ପରେ ହାଇକୋର୍ଟ ଅନାସ୍ଥା ପାଇଁ ଭୋଟ୍ ହେବ ବୋଲି ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଫଳ ପ୍ରକାଶ ଉପରେ ରୋକ୍ ଲଗାଇଛନ୍ତି। ଚାମେଲି ତାଙ୍କ ପିଟିସନ୍ରେ ଦର୍ଶାଇଥିଲେ ଯେ, ଅନାସ୍ଥା ପୂର୍ବରୁ ତାଙ୍କୁ ନିୟମ ଅନୁସାରେ ରିଜୋଲ୍ୟୁସନ, ରିକ୍ୟୁଜିସନ୍ ଓ ନୋଟିସର ନକଲ ଯୋଗାଇ ଦିଆଯାଇ ନାହିଁ । ତେଣୁ ତାଙ୍କ ବିରୋଧରେ ଆଗତ ଅନାସ୍ଥାକୁ ରଦ୍ଦ କରିବା ପାଇଁ ସେ ପ୍ରାର୍ଥନା କରିଥିଲେ। ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କ ପକ୍ଷରୁ ଏହି ଅଭିଯୋଗର ଖଣ୍ଡନ କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କଠାରୁ ମିଳିଥିବା ନିର୍ଦ୍ଦେଶାବଳୀ ଓ ପୂର୍ବ ରାୟର କପି ଅଦାଲତରେ ଦାଖଲ କରାଯାଇଥିଲା। ଗତକାଲି ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ଅନ୍ତରୀଣ ଆଦେଶରେ ଅନାସ୍ଥା ପ୍ରସ୍ତାବ ସଂପର୍କରେ ଭୋଟ୍ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଚାମେଲି ଓଝାଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଥିଲେ।
