ନୂଆପଡ଼ା, (ସତ୍ୟପାଠବ୍ୟୁରୋ): ନୂଆପଡ଼ା ରେଞ୍ଜ ଅଧୀନ ପତୋରା-ଭେରା ରାସ୍ତାରେ ଏକ କଲରାପତରିଆ ଦେଖÒÒବାକୁ ମିଳିଛି। ରାସ୍ତାକଡ଼ ବୁଦା ମୂଳରେ କଲରାପତରିଆଟି ବସିଥିବା ବେଳେ ଜଣେ ଯୁବକ ଏହାର  ଭିଡିଓ  ଉତ୍ତୋଳନ  କରି  ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପତୋରା ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି େହାଇଛି। ଅଞ୍ଚଳବାସୀ ତାଟି କବାଟ ପକାଇ ଘର ଭିତରେ ରହୁଥିବା ଦେଖିବାକୁ ମିଳିଛି। ଫଳରେ ଗଁା ଏକ ପ୍ରକାର ଜନଶୂନ୍ୟ ପାଲଟିଛି। ଅପରପକ୍ଷରେ ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିଥିବା ଜଣାପଡ଼ିଛି।

ସୂଚନାଅନୁସାରେ, ଗତକାଲି ପତୋରା ଗାଁର ଜଣେ ଯୁବକ କୌଣସି କାମରେ ସାରାବଙ୍ଗ ଯାଇଥିଲେ। କାମ ସାରି ରାତି ପ୍ରାୟ ୯ଟାରେ ସେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଭେରା ଓ ପତୋରା ମଝିରେ ରାସ୍ତାକଡ଼ରେ ଥିବା ବୁଦା ନିକଟରେ ହଠାତ୍ ତାଙ୍କ ନଜର ଏକ କଲରାପତରିଆ ଉପରେ ପଡ଼ିଥିଲା।

କିଛି ସମୟ ପାଇଁ ବାଇକ୍ ଅଟକାଇ ଯୁବକ ଜଣକ ଦୂରରୁ ମୋବାଇଲ୍ରେ କଲରାପତରିଆର ଭିଡିଓ ରେକର୍ଡ କରିଥିଲେ। ପରେ ସେ ସେଠାରୁ ଘରକୁ ଫେରିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡ଼ିଓ ପ୍ରସାରିତ ହେବା ପରେ ପତୋରା, ଧରମବନ୍ଧା ସମେତ ଆଖପାଖ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ବସବାସ କରୁଛନ୍ତି।

ରାତି ସମୟରେ ରାସ୍ତାରେ କଲରାପତରିଆ ଦେଖାଯାଇଥିବାରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କଲରାପତରିଆଟି ବର୍ତ୍ତମାନ କେଉଁ ଅଞ୍ଚଳରେ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ଅଞ୍ଚଳ ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ କରାଇଥିବା ଜଣାପଡ଼ିଛି।