ଯାଜପୁର, (ସତ୍ୟପାଠବ୍ୟୁରୋ) : ପ୍ରଥମେ ବନ୍ଧୁତା ପରେ ଲୁଟ। ଚା’ରେ ନିଶା ଦେଇ ଲୁଟିନେଲେ ୫ ଲକ୍ଷ ଟଙ୍କା । ଯାଜପୁର ରୋଡ୍ ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଘଟଣା। ଯାତ୍ରୀଙ୍କ ସହ ପ୍ରଥମେ ବନ୍ଧୁତା କଲେ ଏବଂ ପରେ ଚା’ରେ ନିଶା ଦେଇ ଲୁଟିଲେ। ଲୁଟ୍ର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ାର ତପନ ରାଉତ । ଅଭିଯୋଗ ପରେ ପୁରୀରୁ ଅଭିଯୁକ୍ତକୁ ଗିରଫ କରିଛି ଯାଜପୁର ରୋଡ ଥାନା ପୁଲିସ। ଗିରଫ ଅଭିଯୁକ୍ତ କଟକର ପ୍ରମୋଦ ଦାସ । ଗିରଫ ପରେ ପୋଲିସ ତାଙ୍କ ଘରେ ଚଢ଼ଉ କରି ଲୁଟ୍ ଟଙ୍କାରେ କିଣାଯାଇଥିବା ସୁନା ମଙ୍ଗଳସୁତ୍ର, ରୁପା ଚେନ୍, ଫ୍ରିଜ୍, କୁଲର୍, ଖଟ, ଡ୍ରେସିଂ ଟେବୁଲ ସହିତ ବିଭିନ୍ନ ଘରକରଣା ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ ତପନ ଟ୍ରେନ୍ରେ ଆସିବା ପରେ ଯାଜପୁର ରୋଡ ଷ୍ଟେସନରୁ ଓହ୍ଲାଇ ଘରକୁ ଯିବା ଲାଗି ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ। ଏ ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ସହିତ ଗପସପ କରିବା ସହିତ ବନ୍ଧୁତା ଜମାଇଥିଲେ। ପରେ ଚା’ରେ ନିଶା ଦେଇ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟ୍ କରି ଫେରାର ମାରିଥିଲା ଅଭିଯୁକ୍ତ ।
