ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଏଗ୍ରି-ଷ୍ଟାକ୍ ପଞ୍ଜୀକରଣ ନେଇ ଚିନ୍ତାରେ ଚାଷୀ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଧାନକିଣା ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୂର କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଗ୍ରି-ଷ୍ଟାକ୍ ପଞ୍ଜୀକରଣ ସହିତ ଧାନକିଣା ପାଇଁ ଆବଶ୍ୟକ ହେଉଥିବା ପି-ପାସ୍ ପଞ୍ଜୀକରଣର କୌଣସି ସମ୍ପର୍କ ନାହିଁ । ଏଣୁ ଚାଷୀମାନେ ଏଥିପାଇଁ ଆଦୌ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ଧାନ ବିକ୍ରି ପାଇଁ ଏଗ୍ରି-ଷ୍ଟାକ୍ ବାଧ୍ୟତାମୂଳକ ବୋଲି ହେଉଥିବା ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିବା ସହ ଏହି ଦୁଇଟି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଲଗା ବୋଲି ଜଣାଇଛନ୍ତି ।

ସେ କହିଛନ୍ତି , ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ହିଁ ଚାଷୀଙ୍କ ପଞ୍ଜୀକରଣ କରାଯିବ ଏବଂ ଧାନକିଣା ପ୍ରକ୍ରିୟା ଜାରି ରହିବ । ଏଗ୍ରି-ଷ୍ଟାକ୍ କେବଳ ଚାଷୀଙ୍କ ତଥ୍ୟ ସଂଗ୍ରହର ଏକ ମାଧ୍ୟମ ହୋଇଥିବା ବେଳେ ଧାନକିଣା ସମୟରେ ଏହା କୌଣସି ପ୍ରତିବନ୍ଧକ ସାଜିବ ନାହିଁ । ସରକାର ଚାଷୀଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି, ଯେପରି ସେମାନେ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ସହଜରେ ବିକ୍ରି କରିପାରିବେ । ଚଳିତ ବର୍ଷ ମଧ୍ୟ ପି-ପାସ୍ ପଞ୍ଜୀକରଣ କରି ଚାଷୀମାନେ ସୁବିଧାରେ ଧାନ ବିକ୍ରି କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।