ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ଏନେଇ ଲଗାତାର ମନିଟରିଂ କରାଯାଉଥିବାବେଳେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନର ବର୍ଷା ପରେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଏବେ ତାହା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆଜି ଆଖୁଆପଦାଠାରେ ବୈତରଣୀର ଜଳସ୍ତର କମିଛି ଏବଂ ଆସନ୍ତାକାଲି ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଛି । ସେହିପରି ଜଳକା ନଦୀ ଯୋଗୁଁ ବସ୍ତା ଓ ବାଲେଶ୍ୱର ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଥିଲେ ହେଁ ଏବେ ଏହା ବିପଦ ସଂକେତ ତଳକୁ ଖସି ଆସିଲାଣି। ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନାହିଁ ।

ମହାନଦୀ ଅବବାହିକାରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇନାହିଁ । ହୀରାକୁଦ ଜଳଭଣ୍ଡାରରେ ବନ୍ୟା ଜଳ ଧାରଣ ପାଇଁ ପର୍ଯ୍ୟାପ୍ତ କ୍ଷମତା ରହିଛି ଏବଂ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ନଥିବାରୁ ବିପଦ ବହୁତ କମ୍ ରହିଛି । ତେବେ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଆଜି ରାତିରେ ଜଳସ୍ତର ସାମାନ୍ୟ ବଢ଼ିପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବନ୍ୟା ଭୟ ଟଳିଥିଲେ ମଧ୍ୟ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ତଳିଆ ଅଞ୍ଚଳ ଏବେ ମଧ୍ୟ ଜଳବନ୍ଦୀ ରହିଛି । ଏହି ସବୁ ସ୍ଥାନରୁ ପାଣି ନିଷ୍କାସିତ ହେବା ପାଇଁ ପ୍ରାୟ ୩ ରୁ ୪ ଦିନ ସମୟ ଲାଗିବ । ବର୍ତ୍ତମାନ ବର୍ଷା କମିଥିବାରୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଛି, ଯାହା ପ୍ରଶାସନ ପାଇଁ ଆଶ୍ୱସ୍ତିକର ଖବର ସାଜିଛି ।