ଛାତ୍ର ନେତା ଶର୍ଜିଲ ଇମାମଙ୍କୁ ଜାମିନ

ଛାତ୍ର ନେତା ଶର୍ଜିଲ ଇମାମଙ୍କୁ ମିଳିଲା ଜାମିନ । ବିବାଦୀୟ ବୟାନ ଦେବା ଘଟଣାରେ ଗିରଫ ହୋଇଥିଲେ ଇମାମ । ତେବେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ଜାମିଆ ମିଲିଆ ଇସଲାମିଆରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ବିଶ୍ୱ ବିଦ୍ୟାଳୟରେ ପ୍ରବଳ ହିଂସା ଘଟିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ୨୦୨୦ ମସିହା ଜାନୁଆରୀ ୨୫ରେ ଶର୍ଜିଲଙ୍କ ନାଁରେ ଦେଶଦ୍ରୋହ ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ଦଫାରେ ଏଫଆଇଆର ରୁଜୁ କରାଯାଇଥିଲା। ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରି ଶର୍ଜିଲ ଇମାମଙ୍କୁ ଖୋଜିବାରେ ଲାଗିଥିଲା। ଶେଷରେ ୨୦୨୦ ମସିହା ଜାନୁଆରୀ ୨୮ରେ ତାଙ୍କୁ ବିହାରର ଜେହେନାବାଦ ଅଞ୍ଚଳକୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।

୨୦୨୦ ଏପ୍ରିଲରେ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଦେଶଦ୍ରୋହର ଚାର୍ଜଫ୍ରେମ କରିଥିଲା। ତାଙ୍କ ଭାଷଣ ଯୋଗୁ ଜାମିଆ ମିଲିଆ ଇସଲାମିଆ ଅଞ୍ଚଳରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିବା ପୁଲିସ୍‌ କହିଥିଲା। ଦିଲ୍ଲୀ ପୁଲିସ୍ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଶର୍ଜିଲ ଇମାମ ଜାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ରେ ବିଦ୍ୱେଷ ସୃଷ୍ଟି କରିବା ଭଳି ଭାଷଣ ଦେଇଥିଲେ।

ଦିଲ୍ଲୀ ଦଙ୍ଗା ଘଟଣାରେ ତାଙ୍କ ଭୂମିକାର ମଧ୍ୟ ତଦନ୍ତ ହୋଇଥିଲା। ଏସବୁ ଭିତରେ ୨୦୨୧ ଅକ୍ଟୋବର ମାସରେ ଶର୍ଜିଲ ଜାମିନ ପାଇଁ ଆବେଦନ କରିଥିଲେ। ଏବେ ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

Related Posts