ଯାଜପୁର,  (ସତ୍ୟପାଠବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ କଲେଜ ପରିସର। ଆସନ୍ତାକାଲି ତଥା ଅକ୍ଟୋବର ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।  କ୍ୟାମ୍ପସରେ ଶାନ୍ତି ରକ୍ଷା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ସ୍ବତନ୍ତ୍ର ଭାବେ ତିନି ଜଣିଆ ସମନ୍ବୟ କମିଟି ଗଠନ ହୋଇଛି।  ଯେଉଁଥିରେ ଜିଲ୍ଲାପାଳ, ଏସ୍ ପି ଓ କଲେଜ କର୍ତ୍ତୃପକ୍ଷ ସଦସ୍ୟ ଅଛନ୍ତି। ତେବେ ଯାଜପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ କଲେଜ କାଉନସିଲ ନିର୍ବାଚନକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟି ଏକାଧିକ ସ୍ଥାନରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଲେଜ ପରିସର ଅଶାନ୍ତ ହୋଇପଡ଼ିଥିଲା । ପ୍ରିନ୍ସିପାଲଙ୍କ ସରକାରୀ ବାସଭବନ ସମ୍ମୁଖରେ ଏବଂ ବଏଜ୍ ହଷ୍ଟେଲ ପରିସରରେ ପୃଥକ ପୃଥକ ଭାବେ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣ ଶବ୍ଦରେ କଲେଜ କ୍ୟାମ୍ପସ ଥରି ଉଠିଥିଲା । ଘଟଣାସ୍ଥଳର କଲେଜ ଗେଷ୍ଟହାଉସ ଏବଂ ପ୍ରିନ୍ସିପାଲଙ୍କ ବାସଭବନ ଫାଟକ ନିକଟରୁ କିଛି ଅଫୁଟା ବୋମା ମଧ୍ୟ ଜବତ କରାଯାଇଛି । ଏହା ଦର୍ଶାଉଛି ଯେ, ବଡ଼ଧରଣର ହିଂସା ଘଟାଇବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା ।ଏନେଇ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ଆସନ୍ତା କାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ଥିବାବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାବିଦ୍ୟାଳୟର ପ୍ରିନ୍ସପାଲ ଦାବି କରିଛନ୍ତି ।