ସମ୍ବଲପୁର(ସତ୍ୟପାଠବ୍ୟୁରୋ): ଜମିରେ ଝାଳ ବୁହାଇ ଫସଲ ଫଳାଉଥିବା ଚାଷୀ, ଏବେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ନେଇ ହଇରାଣ ହେଉଛନ୍ତି। ରାଜ୍ୟରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ହାତରେ ୪ ଦିନ ସମୟ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। କେଉଁଠି ସର୍ଭର ସ୍ଲୋ’ ତ କେଉଁଠି ନେଟୱାର୍କ ସମସ୍ୟା। ଆଉ କେଉଁଠି ସରକାରଙ୍କ ଜଟିଳ ନିୟମ ଚାଷୀଙ୍କ ନିଦ ହଜାଇ ଦେଇଛି। ଏମିତିକି ବିଭିନ୍ନ କଟକଣା ଯୋଗୁଁ ଅନେକ ପ୍ରକୃତ ଚାଷୀ ପଞ୍ଜୀକରଣରୁ ବାଦ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଫାଶୀମାଲ ଲ୍ୟାମ୍ପସରେ ସର୍ଭର ସ୍ଲୋ ଏବଂ ନେଟ୍ ସମସ୍ୟା ଯୋଗୁଁ ହଜାର ହଜାର ଚାଷୀ ସକାଳୁ ରାତିଯାଏଁ ଅପେକ୍ଷା କରି ମଧ୍ୟ ନିରାଶ ହେଉଛନ୍ତି। ଜମନକିରା ବ୍ଲକ ୯ଟି ପଞ୍ଚାୟତର ପ୍ରାୟ ୩ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ ପାଇଁ ଲ୍ୟାମ୍ପସକୁ ଦୌଡୁଥିବା ବେଳେ ମାତ୍ର ହାତ ଗଣତି କିଛି ଲୋକଙ୍କର ପଞ୍ଜୀକରଣ ହେଉଛି। ଯେଉଁମାନଙ୍କର ନହେଉଛି, ସେମାନେ ସମୟସୀମା ବଢ଼ାଇବାକୁ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଧାନ ବିକ୍ରି ପାଇଁ ଟୋକନ୍ ପଞ୍ଜୀକରଣ ସମୟରେ ବାଧକ ସାଜିଛି ଆଇ-ସ୍କାନ। ଅଧିକାଂଶ ଜମି ମାଲିକ ବୃଦ୍ଧ ହେଉଥିବାରୁ ସେମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।
ସବୁଠି ଚାଷୀ ପଞ୍ଜୀକରଣକୁ ନେଇ ସମାନ ସ୍ଥିତି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ଚାଷୀ ପଞ୍ଜୀକରଣରେ ଅନିୟମିତତା ଓ ବିଭ୍ରାଟ ଅଭିଯୋଗ ହୋଇଛି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ କିଛି ଜମିକୁ ସାମିଲ ନକରାଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦେଇ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି।
ସମୟ ସରି ଆସୁଥିବା ବେଳେ ସର୍ଭର ସମସ୍ୟା ଏବଂ ଜଟିଳ ନିୟମ ଯୋଗୁଁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ନେଇ ଗଭୀର ଚିନ୍ତାରେ ଅଛନ୍ତି। ତେଣୁ ପ୍ରଶାସନ ଏହାର ସ୍ଥାୟୀ ଓ ସରଳ ସମାଧାନ କରିବା ସହିତ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ଦାବି ହେଉଛି।
