ଜବାହାରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ୧୭ ଦେଶର ୩୫୦ ପ୍ରତିଯୋଗୀ ନେବେ ଭାଗ

ମଙ୍ଗଳବାର(ଆଜିଠୁ) ଜବାହାରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ପ୍ରଥମ ଓଡ଼ିଶା ଓପନ (ସୁପର-୧୦୦) ବ୍ୟାଡମିଣ୍ଟନ ଖେଳାଯିବ । ଓଡ଼ିଶାରେ ପ୍ରଥମ ଥର ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ) ଏବଂ ଓଡ଼ିଶା ସଂଘର ମିଳିତ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍‌ JNIS କଟକର ଚାରୋଟି କୋର୍ଟରେ ଖେଳାଯିବ । ଓଡିଶାରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଭେନ୍ୟୁ ପ୍ରସ୍ତୁତ ବୋଲି ଅଧିକାରୀ ସ୍ପଷ୍ଟ କରିସାରିଛନ୍ତି ।

୧୭ଟି ଦେଶରୁ ୩୫୦ରୁ ଊଦ୍ଧ୍ୱର୍ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଟୁର୍ଣ୍ଣାମେଣ୍ଟନ ପାଇଁ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ପ୍ରସ୍ତୁତି ପର୍ବ ଏକ ପ୍ରକାର ଶେଷ ହୋଇ ସାରିଛି । ଷ୍ଟାଡିୟମରେ ମୋଟ୍‌ ୪ଟି କୋର୍ଟ ପ୍ରସ୍ତୁତ ହୋଇଛି । କଡ଼ା କୋଭିଡ୍‌ କଟକଣା ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହେଉଛି । ସୋମବାର କିଛି ଖେଳାଳି ଯାଇ କଟକରେ ଅଭ୍ୟାସ କରିଥିଲେ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୭୫୦୦୦ ଡଲାର ବା ୫୫.୫୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

କୋଭିଡ୍ ‌ କଟକଣା କଡ଼ାକଡ଼ି

ଗତ ରବିବାର ଦିନ ୧୦୦ରୁ ଊଦ୍ଧ୍ୱର୍ ଖେଳାଳି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ । ଅବଶିଷ୍ଟ ଖେଳାଳି ସୋମବାର ପହଞ୍ଚିଛନ୍ତି । କୋଭିଡ୍‌ କଟକଣାକୁ କଡ଼ା କଡ଼ି କରାଯାଇଛି । ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି । ସେମିତି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଖେଳାଳି, ଟେକ୍‌ନିକାଲ ଅଫିସିଆଲ ଓ ସ୍ୱେଚ୍ଛାସେବୀଙ୍କର ନିୟମିତ ବ୍ୟବଧାନରେ କୋଭିଡ୍‌ ପରୀକ୍ଷା କରାଯିବ । ବିମାନବନ୍ଦରରେ ଓହ୍ଲାଇବା ପରେ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସୁଛି ସେମାନଙ୍କୁ କେବଳ ଖେଳିବାର ଅନୁମିତ ମିଳୁଛି । ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ ।

Related Posts