ଜାଡରେ ଥରୁଛି ଓଡ଼ିଶା, ଆଉ ୫ ଦିନ ରାଜ୍ୟରେ ପ୍ରବଳ ଶୀତ

ରାଜ୍ୟକୁ ଶୀତ ପ୍ରବେଶ କରିଛି। ରାଜ୍ୟର ପ୍ରାୟ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରି କିମ୍ବା ତଳେ ରହିବା ପରେ ୨୨ତାରିଖ ଆଡ଼କୁ ପାରଦ ଧୀରେ ଧୀରେ ଊର୍ଧ୍ବମୁଖା ହେବ। ୨୨ ତାରିଖ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ଗତ ୨ରୁ ୩ ଦିନ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି। ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଯାଇଛି। ଗତ ୨୪ଘଣ୍ଟାରେ ୬.୫ ଡିଗ୍ରି ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରିଛି। ସେହିପରି ଫୁଲବାଣୀରେ ୭.୫ ଡିଗ୍ରି, କୋରାପୁଟରେ ୯ ଡିଗ୍ରି, ଟିଟିଲାଗଡ଼ରେ ୯.୩ ଡିଗ୍ରି, ଝାରସୁଗୁଡ଼ାରେ ୯.୬ ଡିଗ୍ରି, କେନ୍ଦୁଝରରେ ୯.୬ ଡିଗ୍ରି, ସୁନ୍ଦରଗଡ଼ରେ ୧୦ ଡିଗ୍ରି ଓ ଭବାନୀପାଟଣାରେ ୧୦ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଉପକୂଳ ଓଡ଼ିଶା‌ରେ ବି ଦୃଷ୍ଟାନ୍ତମୂଳକ ଭାବେ ରାତ୍ରି ତାପମାତ୍ରା ତଳକୁ ଖସିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସାଧାରଣତଃ ଡିସେମ୍ବର ଓ ଜାନୁଆରିରେ ରାଜ୍ୟରେ ଶୀତ ପ୍ରକୋପ ଅଧିକ ରୁହେ। ଚଳିତ ବର୍ଷ ବର୍ଷାର ପରିମାଣ ୨୦୦%ରୁ ଅଧିକ ରହିଲା ଓ ନଭେମ୍ବର ସାରା ଏବଂ ଡିସେମ୍ବର ପ୍ରଥମରୁ ଲଘୁଚାପ ବର୍ଷା, ବାତ୍ୟା ଓ ଟ୍ରଫ୍‌ଲାଇନ୍‌ ଯୋଗୁଁ ଶୀତ ଦିନ ସଂଖ୍ୟା ସହ ଶୀତ ପ୍ରକୋପ ମଧ୍ୟ କମ୍‌ ରହିଛି। ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରିରେ ସ୍ବାଭାବିକଠାରୁ ଶୀତ ପ୍ରକୋପ କମ୍‌ ରହିବ।

Related Posts