ନୂଆଦିଲ୍ଲୀ, ୧୦|୬(ସ.ପ୍ର): ଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା ନେପାଳର ସୀମାନ୍ତ କ୍ୱାରେଣ୍ଟାଇନ ଅଧିକାରୀମାନେ ଯାଞ୍ଚ ସମୟରେ ଚିହ୍ନଟ କରିଛନ୍ତି । ଏହା ସହିତ ସୀମାବର୍ତ୍ତୀ ଅଞ୍ଚଳରେ ଉପଯୁକ୍ତ ପରୀକ୍ଷାଗାରର ଅଭାବ ଯୋଗୁଁ ନେପାଳର କୃଷି ଓ ପଶୁସମ୍ପଦ ବିକାଶ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ନେପାଳ ସରକାରଙ୍କ କହିବା ଅନୁଯାୟୀ, ଭାରତରୁ ଆସୁଥିବା ଆମ୍ବରେ ସୁରକ୍ଷିତ ମାତ୍ରାଠାରୁ ଅଧିକ ରାସାୟନିକ କୀଟନାଶକ ମିଳିଛି, ଯାହା ଜନସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଗତ ମାସରେ ଜାପାନ ମଧ୍ୟ ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରସିଦ୍ଧ ‘ଅଲଫୋନସୋ’ ଓ ‘କେସର’ ଭଳି ଆମ୍ବ ପ୍ରଜାତିର ଆମଦାନୀ ଉପରେ ରୋକ ଲଗାଇଥିଲା। ପେଷ୍ଟ-କଣ୍ଟ୍ରୋଲ ଓ ଉପଯୁକ୍ତ ଟ୍ରିଟମେଣ୍ଟ ପ୍ରକ୍ରିୟାରେ ତ୍ରୁଟି ଦେଖାଯାଇଥିବାରୁ ଜାପାନ ଏହି ନିଷ୍ପତ୍ତି ନେଇଥିଲା। ତେବେ ନେପାଳ ଏହି କଟକଣା ଯୋଗୁଁ ନେପାଳର ମଧେଶ ପ୍ରଦେଶର ସ୍ଥାନୀୟ ଆମ୍ବ ଚାଷୀମାନେ ଉପକୃତ ହେଉଛନ୍ତି । ମାତ୍ର ସେଠାକାର ଫଳ ବ୍ୟବସାୟୀ ସଂଘ ଚେତାବନୀ ଦେଇଛି ଯେ, ନେପାଳରେ ଆମ୍ବ ଋତୁ ମାତ୍ର ୨ ମାସ ରହୁଥିବାରୁ ଭାରତୀୟ ଆମ୍ବ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଲେ ବଜାରରେ ଆମ୍ବର ଅଭାବ ଦେଖାଦେବ ଏବଂ ଏହାର ଦାମ ବହୁତ ବଢ଼ିଯିବ । ସମ୍ପୂର୍ଣ୍ଣ ବ୍ୟାନ ବଦଳରେ ସୀମାରେ କଡ଼ା ଯାଞ୍ଚ କରି ଆମ୍ବ ଛାଡ଼ିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି । ଭାରତ ପାଇଁ ନେପାଳ ଏକ ବଡ଼ ରପ୍ତାନି ବଜାର ନହେଲେ ମଧ୍ୟ, ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଫଳର ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇବା କୃଷି ରପ୍ତାନି କ୍ଷେତ୍ର ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।
